fbpx

ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା, ହରାଇପାରନ୍ତି ଦୃଷ୍ଟିଶକ୍ତି

AAKASH

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି ପାଇଁ କ୍ଷତିକାରକ । ପ୍ରତି ସପ୍ତାହ ୪ଟି କେନ୍‌ କିମ୍ବା ହାରାହାରି ୧.୫ ଲିଟର ମୃଦୁ ପାନୀୟ ପିଇବା ଦ୍ୱାରା ଡାଇବେଟିକ୍‌ ରେଟିନୋପାଥି ଆଶଙ୍କା ଦୁଇଗୁଣ ବୃଦ୍ଧି ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।

କ୍ଲିନିକାଲ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଓପ୍‌ଥାଲମୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅଣ-ମାଦକ ମୃଦୁ ପାନୀୟ ଓ ଚକ୍ଷୁ ସ୍ୱାସ୍ଥ୍ୟ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛି । ୬୦୯ ଜଣ ବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କର ଟାଇପ୍‌-୧ ମଧୁମେହ, ୫୧୦ ଜଣଙ୍କର ଟାଇପ୍‌-୨ ମଧୁମେହ ଥିଲା । ବାକି ୨୬ ଜଣଙ୍କ ତଥ୍ୟ ସ୍ପଷ୍ଟ ନ ଥିଲା । ପ୍ରତିଯୋଗୀଙ୍କ ହାରାହାରି ବୟସ ଥିଲା ୬୫ ବର୍ଷ । ମୋଟ୍‌ ପ୍ରତିଯୋଗୀଙ୍କ ମଧ୍ୟରୁ ୪୬.୮ ପ୍ରତିଶତ ନିୟମିତ ମୃଦୁ ପାନୀୟ ପିଇଥିଲେ ।

ଅନ୍ୟମାନେ ଡାଏଟ୍‌ ସୋଡ଼ା ପିଇଥିଲେ । ନିୟମିତ ମୃଦୁ ପାନୀୟ ପିଇଥିବାଲୋକଙ୍କଠାରେ ଡାଏଟ୍‌ ସୋଡ଼ା ପିଇଥିବା ବ୍ୟକ୍ତିଙ୍କ ତୁଳନାରେ ଏହି ରୋଗ ଦେଖାଯାଇନଥିଲା । ଡାଇବେଟିକ୍‌ ରେଟିନୋପାଥି ହେଉଛି ମଧୁମେହର ଏକ ଜଟିଳତା, ଯେଉଁଥିରେ ଉଚ୍ଚ ଶର୍କରା ସ୍ତର ଆଖି ରେଟିନାକୁ ନଷ୍ଟ କରିଦିଏ । ତେଣୁ ଦୃଷ୍ଟି ଶକ୍ତି ବାଧାପ୍ରାପ୍ତ ହୁଏ । ଏହି ରୋଗ ବ୍ୟକ୍ତିର ଦୃଷ୍ଟି ଶକ୍ତି ପାଇଁ ଏକ ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାକୁ ଚିହ୍ନଟ ନ କଲେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇ ଦେଇପାରେ । ସେଥିପାଇଁ ମଧୁମେହ ରୋଗୀଙ୍କୁ ନିୟମିତ ଚକ୍ଷୁ ଯାଞ୍ଚ୍‌ କରାଇବାକୁ ପରାମର୍ଶ ଦିଆଯାଏ । ମଧୁମେହ ଶରୀରର ରକ୍ତ ବାହିକାଗୁଡ଼ିକୁ ନଷ୍ଟ କରିଦିଏ । ରକ୍ତ ଶର୍କରା ସ୍ତର ଯେତେବେଳେ ଅସାଧାରଣ ରୂପେ ବୃଦ୍ଧି ପାଏ, ବିଭିନ୍ନ ଅଙ୍ଗକୁ ସଂଯୋଗ କରୁଥିବା ରକ୍ତ ବାହିକାଗୁଡ଼ିକୁ ତାହା ଅବରୋଧ କରେ । ଚକ୍ଷୁର କ୍ଷୁଦ୍ର ରକ୍ତ ବାହିକାରେ ଏଭଳି ଜଟିଳତା ଦେଖାଯାଏ । ଚକ୍ଷୁର ରକ୍ତ ବାହିକା ଯେତେବେଳେ ବନ୍ଦ ହୋଇଯାଏ, ଆଲୋକ ଚିହ୍ନଟ କରୁଥିବା ସେହି ଅଂଶ ନଷ୍ଟ ହୋଇଯାଏ । ତାହା ପରେ ଅପ୍ଟିକ୍‌ ସ୍ନାୟୁ ମଧ୍ୟଦେଇ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ବାଧା ଦିଏ । ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କୁ ଡାଇବେଟିକ୍‌ ରେଟିନୋପାଥିର ଉଚ୍ଚ ଆଶଙ୍କା ରହିଛି । ଏଥିସହ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଓ ନିୟମିତ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଆଶଙ୍କା ଅଧିକ । ଗର୍ଭବତୀଙ୍କୁ ଏହି ସ୍ଥିତିର ଆଶଙ୍କା ବେଶି । ତେଣୁ ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.