ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ବଢୁଥିବା ସ୍ଥିତିରେ ବିଭିନ୍ନ ଫାର୍ମା କମ୍ପାନୀ ଔଷଧ ଉତ୍ପାଦନରେ ଲାଗିପଡିଛନ୍ତି । କୋଭିଡ ପାଇଁ ଯେଉଁସବୁ ଔଷଧ କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ତାର ଉତ୍ପାଦନକୁ ନେଇ ଫାର୍ମା କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ମଲନୁପିରାଭିର ଉତ୍ପାଦନ ପାଇଁ ଦେଶର ପ୍ରାୟ ୧୩ଟି ଫାର୍ମା କମ୍ପାନିଙ୍କ ଜୋରସୋର ରେ କାମରେ ଲାଗିପଡିଛନ୍ତି । ସେମାନଙ୍କ ମଧ୍ୟରେ କିଛି ପ୍ରମୁଖ ହେଲା ଡ.ରେଡ୍ଡୀସ, ମାନକାଇଣ୍ଡ୍, ସିପଲା, ଷ୍ଟ୍ରାଇଡ୍, ହେଟେରୋ । ଏସବୁ କମ୍ପାନିମାନଙ୍କ ଦ୍ବାରା ଉତ୍ପାଦିତ କରୋନା ଔଷଧ ମଲନୁପିରାଭିର ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ହେଲେ ଅନ୍ୟପଟେ ଏହି ଔଷଧର ସେବନ ପାଇଁ ଆଇସିଏମଆର ପକ୍ଷରୁ ଏଯାଏ କୌଣସି ସୁପାରିଶ କରାଯାଇନାହିଁ । ଏହାର କଣ ହୋଇଥାଇପାରେ ?
ଏ ସଂକ୍ରାନ୍ତରେ ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ କହିଛନ୍ତି, ମଲନୁପିରାଭିର ଔଷଧ ଖାଇଲେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ଏପରିକି ଏହି ଔଷଧ ଖାଇଲେ ଗର୍ଭରେ ଥିବା ଶିଶୁ ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ଏଣୁ ଏହାକୁ ଖାଇବାର ତିନିମାସ ପର୍ୟ୍ୟନ୍ତ ମାତାପିତା ମାନେ ସନ୍ତାନ ପାଇଁ ଉଦ୍ୟମ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି ଔଷଧ ଖାଇଲେ ମଣିଷର ହାଡ଼ ଓ ମାଂସପେଶୀ ଦୂର୍ବଳ ହେବାର ସମ୍ଭାବନା ମଧ୍ୟ ରହିଛି । ନିକଟରେ ଜର୍ଣ୍ଣାଲ ଅଫ ଇନଫେକ୍ଟିସିଅସ ଡିଜିଜରେ ପ୍ରକାଶିତ ଏକ ସଂଦର୍ଭରେ କେତେକ ଗବେଷକ ଲେଖିଛନ୍ତି ଯେ, ଏହି ଔଷଧ ଖାଇଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି । ଏସବୁ କାରଣରୁ ଆଇସିଏମଆର ଏହି ଔଷଧ ସେବନ ପାଇଁ ସୁପାରିଶ କରୁନାହିଁ ।