ନୂଆଦିଲ୍ଲୀ: ମାଆ-ବାପାଙ୍କ ସଂପତ୍ତି ଉପରେ ପିଲାମାନଙ୍କ ଅଧିକାର ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ହେଲେ କଣ ଆପଣଙ୍କୁ ପିଲାମାନଙ୍କ ସଂପତ୍ତି ଉପରେ ବାପା-ମାଆଙ୍କ ଅଧିକାର ବିଷୟରେ ଜଣାଅଛି? ଭାରତୀୟ ଉତ୍ତରାଧିକାରୀ ଆଇନ ହିସାବରେ ଏପରି କେଉଁ ପରିସ୍ଥିତି ଅଛି ଯେଉଁଥିରେ ମାଆ-ବାପା ମଧ୍ୟ ପିଲାମାନଙ୍କ ସଂପତ୍ତି ଉପରେ ନିଜର ଅଧିକାରକୁ ଦାବି କରିପାରିବେ। ଆସନ୍ତୁ ଏହାର ସଂପୂର୍ଣ୍ଣ ଡିଟେଲ୍ସ ଜାଣିବା..
ଭାରତୀୟ ଆଇନ ଅନୁଯାୟୀ, ସାଧାରଣ ପରିସ୍ଥିତିରେ ମାଆ-ବାପା ନିଜ ପିଲାମାନଙ୍କ ସଂପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେନି। କିଛି ବିଶେଷ ପରିସ୍ଥିତି ଅଛି, ଯେଉଁଥିରେ ମାଆ ବାପା ପିଲାମାନଙ୍କ ସଂପତ୍ତି ଉପରେ ଦାବି କରିପାରିବେ। ଏନେଇ ସରକାର ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୨୦୦୫ ସଂଶୋଧନ କରିଥିଲେ। ଏହି ଅଧିନିୟମର ଧାରା ୮ରେ ଶିଶୁଙ୍କ ସଂପତ୍ତି ଉପରେ ମାଆ-ବାପାଙ୍କ ଅଧିକାରଗୁଡ଼ିକୁ ବାଖ୍ୟା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, କେବେ ଅଭିଭାବକ ନିଜ ପିଲାମାନଙ୍କ ସଂପତ୍ତି ଉପରେ ଅଧିକାର ଦାବି କରିପାରିବେ।
କେବେ ମିଳିଥାଏ ମାଆ-ବାପାଙ୍କୁ ଅଧିକାର: ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁଯାୟୀ, ଯଦି କୌଣସି ପିଲାର ଦୁର୍ଘଟଣା ଅର୍ଥାର ରୋଗରେ ଅକାଳ ମୃତ୍ୟୁ ଘଟୁଛି ବା ଅବିବାହିତ ଥିବା ପରିସ୍ଥିତିରେ ମୃତ୍ୟୁ ଘଟୁଛି, ଏପରି ପରିସ୍ଥିତିରେ ମାଆ-ବାପାଙ୍କୁ ପିଲାମାନଙ୍କ ସଂପତ୍ତି ଉପରେ ଦାବି କରିବାର ଅଧିକାର ମିଳିଥାଏ। ଏଠାରେ ଗୋଟିଏ କଥା ବୁଝିବାକୁ ହେବ ଯେ, ମାଆ-ବାପାଙ୍କୁ ଏଭଳି ପରିସ୍ଥିତିରେ ପିଲାମାନଙ୍କର ସଂପତ୍ତି ଉପରେ ସଂପୂର୍ଣ୍ଣ ଅଧିକାର ମିଳିନଥାଏ। ମାଆ ଏବଂ ବାପାଙ୍କୁ ଭିନ୍ନ ଭିନ୍ନ ଅଧିକାର ମିଳିଥାଏ।
ଏହି ଆଇନ ଅନୁଯାୟୀ, ପିଲାଙ୍କ ସଂପତ୍ତି ଉପରେ ମାଆଙ୍କୁ ପ୍ରାଧାନ୍ୟ ମିଳିଥାଏ। ଅଧିକାରର ଦାବିରେ ମାଆଙ୍କୁ ପ୍ରଥମ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ। ଏହାପରେ ପିତାଙ୍କୁ ଦ୍ୱିତୀୟ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ। ଯଦି ପ୍ରଥମ ଉତ୍ତରାଧିକାରୀ ବା ମାଆ ନଥାଆନ୍ତି ସେହି ସ୍ଥାନରେ ପିତାଙ୍କୁ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇଥାଏ।
ପୁଅ ଏବଂ ଝିଅ ପାଇଁ ପୃଥକ ବ୍ୟବସ୍ଥା: ହିନ୍ଦୁ ଉତ୍ତରାଧିକାରୀ ଆଇନର କହିବାନୁଯାୟୀ, ପିଲାମାନଙ୍କ ସଂପତ୍ତି ଉପରେ ତାଙ୍କ ମାଆ-ବାପାଙ୍କ ଅଧିକାର ପିଲାମାନଙ୍କ ଲିଙ୍କ ଉପରେ ମଧ୍ୟ ନିର୍ଭର କରିଥାଏ। ଯଦି ପିଲା ପୁଅ ତେବେ ତାଙ୍କ ସଂପତ୍ତି ପ୍ରଥମ ଉତ୍ତରାଧିକାରୀ ଭାବେ ମାଆଙ୍କୁ ଏବଂ ଦ୍ୱିତୀୟ ଉତ୍ତରାଧିକାରୀ ଭାବେ ପିତାଙ୍କୁ ଦିଆଯିବ। ମାଆ ନଥିଲେ ବାପା ଏବଂ ତାଙ୍କର ଅନ୍ୟ ଉତ୍ତରାଧିକାରୀ ବିଭାଜନ କରାଯିବ। ଯଦି ବିବାହିତ ପୁଅର ମୃତ୍ୟୁ ଘଟିଛି ତେବେ ସେହି ସଂପତ୍ତିର ଉତ୍ତରାଧିକାରୀ ତାଙ୍କ ସ୍ତ୍ରୀକୁ ମିଳିବ। ସେହିପରି ବିବାହିତ ଝିଅର ମୃତ୍ୟୁ ଘଟିଲେ ତା’ର ସଂପତ୍ତି ତାଙ୍କ ପିଲାମାନଙ୍କୁ ନଚେତ ସ୍ୱାମୀଙ୍କୁ ମିଳିବ।