ଗରିବଙ୍କ ପାଇଁ ଡାକ୍ତରଙ୍କ ବଳିଦାନ, ଆରମ୍ଭ କଲେ ‘ଏକଟଙ୍କିଆ କ୍ଲିନିକ୍’

ସମ୍ବଲପୁର, ୧୪ା୨ (ଓଡିଶା ଭାସ୍କର): ବର୍ତ୍ତମାନର ସମୟରେ ବିଭିନ୍ନ ହସ୍ପିଟାଲମାନେ ରୋଗୀଙ୍କୁ ସେବା ନାମରେ ଶୋଷଣ କରୁଛନ୍ତି । ତେବେ ଜଣେ ଡାକ୍ତରଙ୍କର ଗଭୀର ସେବା ମନୋବୃତ୍ତି ପାଇଁ ଆଜି ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସେ ଡାକ୍ତର ଜଣକ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ଶଙ୍କର ରାମଚନ୍ଦାନୀ । ୩୮ ବର୍ଷୀୟ ପ୍ରଫେସର ରାମଚନ୍ଦାନୀ ଗରିବ ଓ ବଞ୍ଚିତ ଲୋକଙ୍କ ପାଇଁ ଏକ କ୍ଲିନିକ ଖୋଲିଛନ୍ତି । ଏଥିପାଇଁ ସେ ମାତ୍ର ୧ ଟଙ୍କା ପାଉଣା ନେଉଛନ୍ତି । ଏକ ଭଡ଼ାଘରେ ରାମଚନ୍ଦାନୀ ଏହି କ୍ଲିନିକ ଆରମ୍ଭ କରିଛନ୍ତି ।

କ୍ଲିନିକ ସକାଳ ୭ରୁ ୮ ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କ୍ଲିନିକରେ ତାଙ୍କର ପତ୍ନୀ ଶିଖା ତାଙ୍କୁ ସାହାଯ୍ୟ କରୁଛନ୍ତି । ତେବେ କ୍ଲିନିକ ଉଦ୍ଘାଟନ ହେବାର ପ୍ରଥମ ଦିନରେ ୩୩ ଜଣ ରୋଗୀ ଆସିଥିବା ରାମଚନ୍ଦାନୀ ପ୍ରକାଶ କରିଛନ୍ତି । ଆଜିର ସମାଜରେ ସମସ୍ତେ ଅର୍ଥ ପଛରେ ପାଗଳ ଭଳି ଧାଉଁଥିବା ସମୟରେ ରାମଚନ୍ଦାନୀ ଅର୍ଥ ରୋଜଗାରକୁ ବଳିଦାନ ଦେଇ ସେବା ମନୋବୃତ୍ତିକୁ ଆପଣାଇବା ଆଜି ତାଙ୍କୁ ପ୍ରଶଂସାର ପାତ୍ର କରାଇଛି ।

Get real time updates directly on you device, subscribe now.