fbpx

ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର୍ମୀ ଗାଇଲେ ‘ନମୋ ନମୋ’ ଗୀତ, ଝୁମିଲେ କରୋନା ସଂକ୍ରମିତ ରୋଗୀ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ( ଓଡ଼ିଶା ଭାସ୍କର): କରୋନା ଭାଇରସ୍‌ର ୨ୟ ଲହରୀରେ ଅନେକ ପରିବାର ସେମାନଙ୍କ ପରିଜନଙ୍କୁ ହରାଇଛନ୍ତି । ଏହି ଭୟଙ୍କର ସ୍ଥିତିରେ ରୋଗୀଙ୍କ ଓଠରେ ହସ ଫୁଟାଇବା ଉଦ୍ଦେଶ୍ୟରେ ଅନେକ ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ନିଆରା ତରିକା ଆପଣାଉଥିବା ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଏବେ ଇଣ୍ଟର୍‌ନେଟରେ ଖୁବ୍‌ ଭାଇରାଲହେଉଛି ।
କୋଭିଡ୍‌-୧୯ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ହସ୍‌ପିଟାଲର କର୍ମୀମାନେ ଦମ୍‌ଦାର ପ୍ରଦର୍ଶନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ଖୁସି କରିବାକୁ ପିପିଇ କିଟ୍‌ ପିନ୍ଧି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘କେଦାରନାଥ’ର ‘ନମୋ ନମୋ’ ଗୀତ ଗାଇଛନ୍ତି। ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଖୁବ୍‌ ଶେୟାର କରାଯାଉଛି ।

ସ୍ୱାସ୍ଥ୍ୟକର୍ମୀମାନେ ଗିଟାର ବଜାଇ ବେଶ ଆନନ୍ଦର ସହ ଏହି ଗୀତ ଗାଉଛନ୍ତି । ଏହା ଦେଖି ସେଠାରେ ଥିବା ରୋଗୀ ଶଯ୍ୟାରେ ରହି ଗୀତ ତାଳେ ତାଳେ ଝୁମିଯାଉଥିବା ନଜର ଆସିଛନ୍ତି । ଟ୍ୱିଟରରେ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ ପେଜ୍‌ରେ ମଧ୍ୟ ଭିଡିଓଟି ଶେୟାର କରାଯାଇଥିଲା, ଯାହା ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ନଜରରେ ପଡ଼ିଲା । ଗୀତଟିକୁ କମ୍ପୋଜ୍‌ କରିଥିବା ଗାୟକ ଅମିତ ତ୍ରିବେଦୀ ମଧ୍ୟ ଭିଡିଓକୁ ଦେଖିଲେ । ଭିଡିଓଟି ଦେଖିବା ପରେ ରୋମ ଟାଙ୍କୁରି ଉଠିଲା ବୋଲି ଶ୍ୱେତା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ସମସ୍ତ ରୋଗୀଙ୍କର ସେ ଆରୋଗ୍ୟ କାମନା କରିଛନ୍ତି । ଅମିତ ମଧ୍ୟ ଈଶ୍ୱରଙ୍କ ନିକଟରେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଥିବା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.