ଢେଙ୍କାନାଳ (ଭାସ୍କର ନ୍ୟୁଜ୍): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ରାଜକିଶୋର ସେଠୀଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିବା ପୌର ପରିଷଦର ପୂର୍ବତନ ମହିଳା ଅଧ୍ୟକ୍ଷା ମୋନିକା ଶର୍ମା ପଡିଲା ମହଙ୍ଗା। ଶେଷରେ ଡାକ୍ତରଙ୍କୁ ଭୁଲ ମାଗି ମାମଲାକୁ କଲେ ରଫାଦଫା।
ସୂଚନା ଥାଉକି ପୂର୍ବତନ ଅଧ୍ୟକ୍ଷା ମୋନିକା ଶର୍ମା ନିଜ ପୁଅର ଦେହ ଖରାପକୁ ନେଇ ବିଭିନ୍ନ ଡାକ୍ତରଙ୍କ ସହିତ ପରାମର୍ଶ କରିସାରିବା ପରେ ପୁଅର ଦେହ ଭଲ ନହେବାରୁ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଓ ଅଭିଜ୍ଞ ଡାକ୍ତର ରାଜକିଶୋର ସେଠୀଙ୍କୁ ପରାମର୍ଶ କରିବାକୁ ପୁଅକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ମାତ୍ର ସେଠାରେ ଶ୍ରୀ ସେଠୀ ଅନ୍ୟ ରୋଗୀମାନଙ୍କର ଚିକିତ୍ସା କରୁଥିବାରୁ ଶର୍ମା ତାଙ୍କ ପୁଅକୁ ଦେଖିବା ପାଇଁ ବାଧ୍ୟ କରିଥିଲେ । ଫଳରେ ସେଠୀ ତାଙ୍କ ପୁଅକୁ ଚିକିତ୍ସା କରୁଥିବା ସମୟରେ ଶ୍ରୀମତୀ ଶର୍ମା ପୂର୍ବରୁ ନିଜ ପୁଅକୁ ଦେଖାଇଥିବା ଅନ୍ୟ ଡାକ୍ତରମାନଙ୍କ ନାମ ନେଇ ସେଠୀଙ୍କ ସମ୍ମୁଖରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଡା.ଶ୍ରୀ ସେଠୀ ପ୍ରତିବାଦ କରିବା ସହ ତମେ ତାଙ୍କ ଅନୁସ୍ଥିତରେ ଯେଭଳି ତାଙ୍କୁ ଗାଳିଗୁଲଜ କରୁଛ ତେବେ ମୋ ନାମରେ ମଧ୍ୟ ଅନ୍ୟ ଡାକ୍ତରଙ୍କ ଆଗରେ ଗାଳିଗୁଲଜ କରିବ ବୋଲି କହିଥିଲେ । ଏଥିରେ ଉତ୍ୟକ୍ତ ହୋଇପଡି ଶ୍ରୀମତୀ ଶର୍ମା ଡା.ସେଠୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରିବା ସହ ଚପଲରେ ମାରିବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ଓମସା ଢେଙ୍କାନାଳ ଶାଖାର ନିଷ୍ପତି କ୍ରମେ ଶ୍ରୀ ସେଠୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାଟି ଜଟିଳ ଆଡକୁ ଯାଉଥିବା ଦେଖି ବାଧ୍ୟ ହୋଇ ପୂର୍ବତନ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଜେପିର ବରିଷ୍ଠ ନେତା ସୁନୀଲ ଶର୍ମା ଏହାକୁ ମିଟାଇବାକୁ ଡାକ୍ତରଙ୍କ ଶରଣାପନ୍ନ ହୋଇଥିଲେ । ପରେ ଏ ନେଇ ଜିଲ୍ଲା ଦଳିତ ସଂଘର ଆବାହକ ପ୍ରଦ୍ୟୁମ୍ନ ନାଏକ, ଦଳିତ ସଂଘର ସମ୍ପାଦକ ବାଇଧର ନାଏକ, ଦଳିତ ସଂଘର ଚେୟାରମ୍ୟାନ କୈଳାଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଶର୍ମା ଡାକ୍ତର ଶ୍ରୀ ସେଠୀଙ୍କୁ ଭୁଲ ମାଗି ଘଟଣାର ସମାଧାନ କରାଇଥିଲେ । ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାର ଜ୍ୟୋତିଷ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ସ୍ଥାୟୀ ସମାଧାନ କରାଯାଇଥିଲ।।