fbpx

ଧର୍ମାନ୍ତୀକରଣ ମାମଲାକୁ ନେଇ ରାଜନୈତିକ ରଙ୍ଗ ଦିଅନ୍ତୁ ନାହିଁ, ରୋକିବାର ଉପାୟ କୁହନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଶୁଣାଣି ହୋଇଥିଲା । ଏହି ସମୟରେ ଧର୍ମ ପରିବର୍ତ୍ତନକୁ କୋର୍ଟ ଏକ ଗୁରୁତର ପ୍ରସଙ୍ଗ ଭାବରେ ବିବେଚନା କରିଥିଲେ ଏବଂ ଏହାକୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି କହିଥିଲେ । ତେବେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେ ଜାଲିଆତି ଦ୍ୱାରା ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେବାକୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜଷ୍ଟିସ୍ ଏମଆର ଶାହା ଏବଂ ସିଟି ରବିକୁମାରଙ୍କ ଏକ ବେଞ୍ଚ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣିଙ୍କୁ ଏହି ମାମଲାରେ ହାଜର ହେବାକୁ କହିଥିଲେ । ଯେଉଁଥିରେ ଧମକ, ଉପହାର କିମ୍ବା ଆର୍ôଥକ ଲାଭ ଦ୍ୱାରା ଧର୍ମପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନକାରୀ କହିଛନ୍ତି।

ବେଞ୍ଚ କହିଛନ୍ତି, “ଆଟର୍ଣ୍ଣି ଜେନେରାଲ୍, ଆମେ ଆପଣଙ୍କର ସାହାଯ୍ୟ ଆବଶ୍ୟକ କରୁଛୁ । ଯଦି ବଳ ପ୍ରୟୋଗ କରି କିମ୍ବା ଲୋଭ ଦେଖାଇ ଧର୍ମାନ୍ତୀକରଣ ହେଉଛି ତେବେ ଏହାକୁ ବନ୍ଦ କରାଯିବା ଉଚିତ । ଆମେ ଜାଣିବାକୁ ଚାହୁଁଛୁ ଯଦି ଏହା ହେଉଛି ତେବେ ଏହାକୁ ବନ୍ଦ କରିବାର ଉପାୟ କ’ଣ? ଏଭଳି ପରିସ୍ଥିତିରେ କେଉଁ ପ୍ରକାର ପଦକ୍ଷେପ ନେବା ଠିକ୍ ହେବ? ଆଜି ମାମଲାର ଶୁଣାଣି ସମୟରେ ସିନିୟର ଆଡଭୋକେଟ୍ ପି ୱିଲସନ ତାମିଲନାଡୁ ପାଇଁ ହାଜର ହୋଇଥିଲେ । ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଆବେଦନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ରାଜ୍ୟରେ ଏଭଳି ଧର୍ମ ପରିବର୍ତ୍ତନ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି ସେ କହିଥିଲେ । ଏହି ମନ୍ତବ୍ୟକୁ ବେଞ୍ଚ ଦୃଢ ବିରୋଧ କରିଛି ।

ବରିଷ୍ଠ ଓକିଲଙ୍କ ଆବେଦନ ଉପରେ କୋର୍ଟ କହିଛନ୍ତି, ଆପେଣଙ୍କର ଏପରି ଜିନିଷ ପାଇଁ ଭିନ୍ନ କାରଣ ଥାଇପାରେ । ଅଦାଲତର ପ୍ରକ୍ରିୟାକୁ ଅନ୍ୟ ଜିନିଷ ସହିତ ବିଭ୍ରାନ୍ତ କରନ୍ତୁ ନାହିଁ । ଆମେ ସମଗ୍ର ରାଜ୍ୟ ତଥା ଦେଶକୁ ନେଇ ଚିନ୍ତିତ । ଯଦି ଏହା ଆପଣଙ୍କ ରାଜ୍ୟରେ ଘଟୁଛି ତେବେ ଏହା ଖରାପ ଅଟେ । ଯଦି ଏହା ଘଟୁନାହିଁ ତେବେ ଏହା ଏକ ଭଲ କଥା । ଏହାକୁ କୌଣସି ରାଜ୍ୟକୁ ଟାର୍ଗେଟ କରି ଦେଖିବା ଉଚିତ ନୁହେଁ । ଏହାକୁ ରାଜନୈତିକ ଭାବେ ଉପସ୍ଥାପନା କରନ୍ତୁ ନାହିଁ ।

ସୁପ୍ରିମକୋର୍ଟ ଧର୍ମାନ୍ତୀକରଣ ବିଷୟରେ ଶୁଣାଣି ସମୟରେ ଏହା ଏକ ଗୁରୁତର ବିଷୟ ବୋଲି କହିସାରିଛନ୍ତିି । ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ବନ୍ଦ କରିବାକୁ କେନ୍ଦ୍ର ଦ୍ୱାରା ଉଦ୍ୟମ କରାଯିବା ଉଚିତ ବୋଲି ବେଞ୍ଚ କହିଛି । ଯଦି ଏହା ନହୁଏ, ତେବେ ଏକ କଠିନ ପରିସ୍ଥିତି ଉପୁଜିବ । ଏହା ଦେଶର ସୁରକ୍ଷା ଏବଂ ଧାର୍ମିକ ସ୍ୱାଧୀନତା ଉପରେ ପ୍ରଭାବ ପକାଇଥାଏ । ତେଣୁ, କେନ୍ଦ୍ର ସରକାର ଏହାର ସ୍ଥିତି ସ୍ପଷ୍ଟ କରିବା ଉଚିତ ଏବଂ ଏପରି ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ବନ୍ଦ କରିବା ପାଇଁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ କାଉଣ୍ଟର ଆଫିଡେଭିଟ୍ ଦାଖଲ କଲେ ଏହା ଉଚିତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.