ଡିଆର୍‌ଡିଓ ତଥ୍ୟ ଲିକ୍ ମାମଲା; ଅଭୁଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ ମାମଲା

ବାଲେଶ୍ୱର: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍‌ଡିଓ) ର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି ଏବଂ ବିଦେଶୀ ଏଜେଣ୍ଟଙ୍କ ସହ ଲିଙ୍କ ସମ୍ପର୍କିତ ଲାଗିଥିବା ଅଭିଯୋଗକୁ ପ୍ରମାଣ କରିବାରେ କ୍ରାଇମ୍ ବ୍ରାଞ୍ଚ ବିଫଳ ହୋଇଛି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ଅଫିସିଆଲ ସିକ୍ରେଟ୍ ଆକ୍ଟର ଦଫା ୩, ୪, ୫କୁ ହଟାଯାଇଛି। ଚାର୍ଜଶିଟ୍‌ ଦାଖଲ ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇ ନ ଥିବାରୁ ଗୁରୁବାର ବାଲେଶ୍ବର ଏଡିଜେ –୩ କୋର୍ଟ ଏହି ଦଫାକୁ ହଟାଇ ଦେଇଛନ୍ତି ଫଳରେ ମାମଲାର ଗୁରୁତ୍ଵ ହ୍ରାସ ପାଇଛି ୨୦୨୧ ସେପ୍ଟେମ୍ବରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଗୋଇନ୍ଦା ସଂସ୍ଥା (ଆଇବି) ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପଡ଼ୋଶୀ ଶତ୍ରୁଦେଶକୁ ଫୋନ୍‌ କଲ୍ ମାଧ୍ୟମରେ ଦିଆଯାଉଥିବା ଜାଣିବାକୁ ପାଇଥିଲେ। ଡିଆର୍‌ଡିଓରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ତାଙ୍କଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୋଇନ୍ଦା ବିଭାଗ ଟ୍ରାକ୍ କରି ଜାଣିଥିଲା ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଇଥିଲା

ବିଶେଷକରି ରାଜସ୍ଥାନ ସୀମାନ୍ତରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜାଣିବା ପରେ ବାଲେଶ୍ବର ପୋଲିସ ହେଡକ୍ଵାର୍ଟର୍ସକୁ ଅବଗତ କରାଯାଇଥିଲା। ଆଇବିର ଏକ ଟିମ୍ ବାଲେଶ୍ବରରେ ପହଞ୍ଚିବା ପରେ ପୂର୍ବାଞ୍ଚଳ ଆଇଜିଙ୍କ ତତ୍ତ୍ଵାବଧାନରେ ୨୦୨୧ ସେପ୍ଟେମ୍ବର ୧୪ରେ ୮ଜଣ ଠିକା କର୍ମଚାରୀଙ୍କୁ ଉଠାଇ ଆଣି ଜିଲାର ବିଭିନ୍ନ ଥାନାରେ ରଖୁ ପଚରାଉଚରା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସେମାନଙ୍କୁ ପୋଲିସ ଗିରଫ କରିଥିଲା। ଡିଆରଡିଓର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ସେମାନଙ୍କ ବିରୋଧରେ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦ (ବି) , ୧୨୧ (ଏ), ୩୪ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟର ଦଫା ୩, ଓ ୫ରେ ଏକ ମାମଲା (ନଂ.୭୬ / ୨୧) ରୁଜୁ କରାଯାଇଥିଲା।

ପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଅଭିଯୁକ୍ତମାନେ ହେଲେ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା, ଆଇଟିଆର୍‌ରେ ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିବା ସଦର ଥାନା ସୁଆଁଳ ଗ୍ରାମର ହେମନ୍ତ କୁମାର ମିସି, ଆଇଟିଆର୍‌ରେ ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ, ଆଇଟିଆର୍‌ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ଏସ୍କେ ମୁସାଫିର। ପରେ ୧୬ ତାରିଖରେ ଡିଆର୍‌ଡିଓର ସ୍ଥାୟୀ ଡ୍ରାଇଭର ଉତ୍ତରପ୍ରଦେଶ ଅଞ୍ଚଳର ସଚିନ ଛଥାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚୋରି ଏବଂ ଏହାର ବିଦେଶୀ ଲିଙ୍କ୍ ଥିବା ସମ୍ପର୍କରେ ଆଇବି ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଚାର୍ଜଶିଟ୍‌ରେ ଏସମ୍ପର୍କିତ ଆବଶ୍ୟକ କାଗଜାଦି ଦାଖଲ କରି ନ ପାରିବା ଘଟଣା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।