ପାକିସ୍ତାନ କଲା ଅସ୍ତ୍ର ବିରତି ଉଲ୍ଲଂଘନ, ଭାରତୀୟ ସେନାକୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଖୋଲା ଅନୁମତି: MEA

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (LoC) ଉପରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବୈଦେଶିକ ମନ୍ତ୍ରଣାଳୟ (MEA) ଶନିବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଯେ ପାକିସ୍ତାନ ଅସ୍ତ୍ର ବିରତି ଚୁକ୍ତିର ଗୁରୁତର ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନର ଜବାବରେ ଭାରତୀୟ ସେନାକୁ କଡ଼ା ଓ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ଅନୁମତି ଦିଆଯାଇଛି।

ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଭାରତ ଓ ପାକିସ୍ତାନର ଡିଜିଏମଓ ମଧ୍ୟରେ ନିକଟରେ ସୈନ୍ୟ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ହୋଇଥିବା ଚୁକ୍ତିକୁ ପାକିସ୍ତାନ ଆଜି ସନ୍ଧ୍ୟାରେ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ ଭାଙ୍ଗିଛି। ଏହା ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଏଥିପାଇଁ ପାକିସ୍ତାନ ଦାୟୀ।” ସେ ଆହୁରି କହିଛନ୍ତି ଯେ ଭାରତୀୟ ସୀମାରେ ହେଉଥିବା ଅତିକ୍ରମଣ ଓ ଗୁଳିବିନିମୟର ଦୃଢ଼ ଜବାବ ଦେଉଛି।

ସୂତ୍ରରୁ ଜଣାପଡ଼ିଛି ଯେ ଶନିବାର ସନ୍ଧ୍ୟା ୫ଟାରେ ଉଭୟ ଦେଶ ମଧ୍ୟରେ ସୀମାଯୁଦ୍ଧ ବିରତି ଉପରେ ଚୁକ୍ତି ହୋଇଥିଲା, କିନ୍ତୁ ତିନି ଘଣ୍ଟା ପରେ ପାକିସ୍ତାନ ଜାମ୍ମୁ, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ସୀମାବର୍ତୀ ଅଞ୍ଚଳରେ ଡ୍ରୋନ ଆକ୍ରମଣ ଓ ଗୁଳିବିନିମୟ ଆରମ୍ଭ କରିଥିଲା। ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନେକ ଡ୍ରୋନକୁ ଆକାଶରେ ନଷ୍ଟ କରିଦେଇଥିବା ବେଳେ ସେନା ନିୟନ୍ତ୍ରଣ ରେଖା ଉପରେ ପ୍ରବଳ ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି।