fbpx

ଓଡ଼ିଶାରେ ଆରମ୍ଭ ହେବ ‘Drone Taxi’ ସେବା: ୨୦୨୪ରେ ମିଳିବ ସେବା, ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହେବ DPR

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ରାଜ୍ୟବାସୀଙ୍କ ପରିବହନ ସେବା କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସେବା । ଆଗାମୀ ଦିନରେ ରାଜ୍ୟରେ ଆରମ୍ଭ ହେବ ‘ଡ୍ରୋନ୍ ଟ୍ୟାକ୍ସି ସେବା । ଓଡ଼ିଶାରେ ଏକ କମ୍ପାନୀ ୩୦୦ କୋଟି ଟଙ୍କା ଏଥିପାଇଁ ନିବେଶ କରିବାକୁ ଯାଉଛି । ଏହି ଅର୍ଥକୁ କମ୍ପାନୀ ଗବେଷଣା ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ବ୍ୟୟ କରିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବେଙ୍ଗାଲୁରୁ ସ୍ଥିତ ବମ୍ବଲ ବି ଫ୍ଲାଇଟ୍ ପ୍ରାଇଭେଟ ଲିମିଟେଡ ଓ ୟୁକେ ସ୍ଥିତ ଏସରାମ ଆଣ୍ଡ ଏମରାମ ଟେକ୍ନୋଲୋଜିଜ୍ ଆଣ୍ଡ ରିସୋର୍ସେସ ଲିମିଟେଡ୍ ଗ୍ରୁପର ସହଭାଗିତାରେ ଏହି ଡ୍ରୋନ ଟ୍ୟାକ୍ସି ସେବା ଆରମ୍ଭ ହେବ । ଏହି ଡ୍ରୋନ ଟ୍ୟାକ୍ସି ସେବା ସବନିୟନ୍ତ୍ରିତ ଏକ ଆସନ ବିଶିଷ୍ଟ ହେବା ସହ ମାନବ-ବାହକ ହେବ । ଏହାଦ୍ୱାରା ସହରାଞ୍ଚଳର ଆକାଶପଥରେ ପରିବହନ ସେବାର ବିକାଶ ହୋଇପାରିବ । ଏୟାର ଆମ୍ବୁଲାନ୍ସ, ଆମୋଦ ପ୍ରମୋଦ, ଭାରି ସରଞ୍ଜାମ ପରିବହନ କ୍ଷେତ୍ରରେ ଏହା ଉପଯୋଗ୍ୟ ସାବ୍ୟସ୍ତ ହୋଇପାରିବ ।

ତେବେ କମ୍ପାନୀ ପକ୍ଷରୁ ଡ୍ରୋନ ଟ୍ୟାକ୍ସି ସେବା ପାଇଁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ । ଡ୍ରୋନ ଟ୍ୟାକ୍ସି ସେବାରେ ନିୟୋଜିତ ହେବାକୁ ଥିବା ଡ୍ରୋନର ଓଜନ ୩୦୦ କେଜି ରହିବା ସହ ଏହାର ବେଗ ଘଣ୍ଟା ପ୍ରତି ୧୦୦ କମି ରହିବ । ଏହାର ଉଡ଼ାଣ ଟାଇମିଂ ୨୦ ମିନିଟ୍ ରହିଥିବା ବେଳେ ଏହା ୨୦ କିମି ଦୂରତା ପର୍ଯ୍ୟନ୍ତ ଉଡ଼ି ପାରିବ । ତେବେ ୮୦ ପ୍ରତିଶତ ସ୍ୱଦେଶୀ ସରଞ୍ଜାମର ଉପଯୋଗ କରି ଏହି ଡ୍ରୋନ୍ ନିର୍ମାଣ କରାଯିବ । ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ସୁଦ୍ଧା ଏହାର ଡିଜାଇନ୍ ସମାପ୍ତ ହେବ । ଏହାପରେ ୨୦୨୪ରେ ଏହା ରାଜ୍ୟରେ ସେବା ଆରମ୍ଭ କରି ବୋଲି ଜଣାପଡ଼ିଛି । ବମ୍ବଲ ବି ଫ୍ଲାଇଟ୍ସ ପ୍ରାଇଭେଟ ଲିମିଟେଡ ହେଉଛି ବେଙ୍ଗାଲୁରୁ ସ୍ଥିତ ଏକ ଷ୍ଟାଟ୍ ଅପ୍ ।

Get real time updates directly on you device, subscribe now.