fbpx

ଆତଙ୍କବାଦୀଙ୍କ ଦୁଃସାହସ ଜାରି, ଜମ୍ମୁରେ ପୁଣି ଥରେ ଠାବ ହେଲା ଡ୍ରୋନ, ଆଲର୍ଟରେ ସମସ୍ତ ସୈନ୍ୟ କ୍ୟାମ୍ପ

AAKASH

ଜମ୍ମୁ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୁଃସାହସ ଜାରି। ଜମ୍ମୁ  ବାୟୁସେନା ଘାଟିରେ  ଡ୍ରୋନ ଆକ୍ରମଣ ଘଟଣାକୁ ୭୨ ଘଣ୍ଟା ନବିତୁଣୁ ପୁଣି ଥରେ ସହରରେ ତିନି ମିଲିଟାରୀ କ୍ୟାମ୍ପ ନିକଟରେ ସନ୍ଦିଗ୍ଧ ଡ୍ରୋନ ଠାବ କରାଯାଇଛି। ଲଗାତାର ତୃତୀୟ ଥର ଏବଂ ୨୪ ଘଣ୍ଟାରେ ଦ୍ଵିତୀୟ ଥର ଡ୍ରୋନ ଦେଖିବାକୁ ମିଳିଛି। ସେନା ପକ୍ଷରୁ ପୋଲିସକୁ ଏହାର ସୂଚନା ଦିଆଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ଟା ୩୦ରୁ ଭୋର ୪ଟା ୩୦ ମଧ୍ୟରେ ରତ୍ନୁଚକ, କାଲୁଚକ ମିଲିଟାରୀ ଷ୍ଟେସନ ଓ ସୁଞ୍ଜଓ୍ଵା ଆର୍ମି ବିଗ୍ରେଡ ନିକଟରେ ଏହି ଡ୍ରୋନ ଦେଖିବାକୁ ମିଳିଛି। ଏହି ଡ୍ରୋନ ଏଠାକୁ କେମିତି ଆସିଲା, ଏହା ପଛରେ କାହାର ହାତ ରହିଛି, ଏ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡ୍ରୋନ ବହୁତ ଉଚ୍ଚରେ ଉଡୁଥିଲା ଏବଂ ସେଥିରେ ଧଳା ଲାଇଟ୍ ଜଳୁଥିଲା। ଅନ୍ୟପଟେ ଗୃହ ମନ୍ତ୍ରଣାଳୟ ଜମ୍ମୁ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣ ମାମଲାରେ ତଦନ୍ତ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିକୁ ହସ୍ତାନ୍ତର କରିଛନ୍ତି। ଡ୍ରୋନ ଆକ୍ରମଣ କାରଣରୁ ସୈନ୍ୟ ପ୍ରତିଷ୍ଠାନଗୁଡିକରେ ଆଣ୍ଟି ଡ୍ରୋନ ଗନ ସହିତ କମାଣ୍ଡୋଙ୍କୁ ମୁତୟମ କରାଯାଇଛି। ବିପଦକୁ ଦୃଷ୍ଟିରେ ରଖି କୌଣସି ବି ସ୍ଥାନରେ ଡ୍ରୋନ ଉଡୁଥିବା ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି। ଏହା ବାଦ୍ ସମସ୍ତ ସେନା ମୁଖ୍ୟାଳୟ, ୟୁନିଟ୍, କ୍ୟାମ୍ପରେ ଯବାନଙ୍କୁ ଆଲର୍ଟ କରାଯାଇଛି।

ବାୟୁସେନା ଷ୍ଟେସନରେ ମଧ୍ୟ ଆଣ୍ଟି ଡ୍ରୋନ ଗନଧାରୀ ଏନଏସଜି କମାଣ୍ଡୋ ମୁତୟନ କରାଯାଇଛି। ସେନା ମୁଖପାତ୍ର କହିଛନ୍ତି, ଏହି ବିଷୟରେ ଆମ ପାଖରେ ବିସ୍ତୃତ ସୂଚନା ନାହିଁ, କିନ୍ତୁ ସମସ୍ତ କ୍ୟାମ୍ପକୁ ଆଲର୍ଟରେ ରଖାଯାଇଛି। ଦୁଇ ଦିନରେ ଲଗାତାର ଡ୍ରୋନ ଘଟଣା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସେନାଙ୍କ ପାଇଁ ମଧ୍ୟ ଏକ ବଡ ଚ୍ୟାଲେଞ୍ଜ। ତେଣୁ ସେନାକୁ ସଂପୂର୍ଣ୍ଣ ଭାବେ ଆଲର୍ଟ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି।

ଅପରପକ୍ଷେ କାଲୁଚକ ମିଲିଟାରୀ ଷ୍ଟେସନର ଘଟଣାକୁ ନେଇ ସୋମବାରଠୁ ପୋଲିସ କୁଞ୍ଜଓ୍ଵାନୀ, ପୁରମଣ୍ଡଲ ମୋଡ, ବାଡି ବ୍ରାହ୍ମଣା, ରତ୍ନଚୁକ, ନ୍ୟାସନାଲ ହାଇଓ୍ଵେ ଆଦି ରାସ୍ତାରେ ଗାଡି ଅଟକାଇ ତଲାସି କରାଯାଉଛି। ପୋଲିସ ଓ ସେନା ମିଳିତ ଭାବେ ଏହି ସବୁ ସ୍ଥାନରେ ତଲାସି ଅଭିଯାନ ଜୋରଦାର କରିଛନ୍ତି।

Get real time updates directly on you device, subscribe now.