ବାହାରିଲା ଦେଢ଼ ବର୍ଷ ପୂର୍ବର ମୃତଦେହ, ଶବ ମାଧ୍ୟମରେ କମେଇବାକୁ ଚାଁହୁଥିଲେ ଟଙ୍କା

ସରକାରଙ୍କ ଠାରୁ କ୍ଷତିପୂରଣ ପାଇବା ଆଶାରେ ଦେଢ଼ ବର୍ଷ ପରେ ମାଟି ଖୋଳି ବାହାର କରାଗଲା ମୃତଦେହ

ଛତିଶଗଡ: ଟଙ୍କା ପାଇବା ଆଶାରେ ଦେଢ଼ ବର୍ଷ ପରେ ମାଟି ଖୋଳି ବାହାର କରାଗଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ବିଳାସପୁରରେ। ଟଙ୍କା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଏ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣା ପଡୁଛି।

ଛତିଶଗଡ଼ର ବିଳାସପୁରରେ ଶିବ କୁମାର ଘୁଲହରେ ନାମକ ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଦୁଇ ଦିନ ପରେ ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ଶିବ କୁମାରଙ୍କ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ପରେ, ଓକିଲ କାମତା ସାହୁ ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣର ଲୋଭ ଦେଖାଇ ମାମଲାକୁ ସାପ କାମୁଡ଼ାର ରୂପ ଦେବା ପାଇଁ କହିଥିଲେ। ଯାହାଦ୍ୱାରା ସରକାରଙ୍କ ଠାରୁ କ୍ଷତିପୂରଣ ମିଳିପାରିବ।

ଟଙ୍କା ଲୋଭରେ ପରିବାର ଲୋକେ ଓକିଲଙ୍କ କଥାରେ ରାଜି ହୋଇ ପ୍ରିୟଙ୍କା ସୋନି ନାମକ ଜଣେ ଡାକ୍ତରଙ୍କ ସାହାଯ୍ୟ ନେଇଥିଲେ ଏବଂ ଏକ ନକଲି ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିଥିଲେ। ମାଟି ଖୋଳି ଯେତେବେଳେ କବରରୁ ମୃତଦେହ ବାହାର କରାଗଲା ସେହି ସମୟରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟ ଏବଂ ଫୋରେନସିକ୍ ବିଶେଷଜ୍ଞଙ୍କ ଏକ ଦଳ ମଧ୍ୟ ଉପସ୍ଥିତ ଥିଲେ।

ଏହି ଘଟଣାର ପର୍ଦ୍ଦାଫାସ ମେ 9 ତାରିଖରେ ହୋଇଥିଲା। ଯେତେବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା, ସେତେବେଳେ ଜଣାପଡିଥିଲା ​​ଯେ, ଏହି ସମ୍ପୂର୍ଣ୍ଣ ମାମଲାର ମାଷ୍ଟରମାଇଣ୍ଡ ହେଉଛି ଓକିଲ କାମତା ସାହୁ।

ସେ ଶିବ କୁମାରଙ୍କ ପରିବାରକୁ ଏହି କାମ କରିବାକୁ ପ୍ରଲୋଭିତ କରିଥିଲେ ଏବଂ ଏକ ନକଲି ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହା ପରେ, ମାମଲାର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇଥିଲା।

ବିଶେଷଜ୍ଞଙ୍କ ଦଳ ମୃତଦେହର ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦେଢ଼ ବର୍ଷ ପରେ ଏହା ହୋଇଥିବାରୁ ମୃତଦେହ ସମ୍ପୂର୍ଣ୍ଣ ପଚିଯାଇଥିଲା। ଯେଉଁଥିପାଇଁ ଠିକ୍ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରିବା ବହୁତ କଷ୍ଟକର ହେବ ବୋଲି ଡାକ୍ତର କହିଥିଲେ। ଏହି ମାମଲାରେ ତଦନ୍ତ ଚାଲୁଥିବାବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।