fbpx

ମାଙ୍କ ଆଗମନ ପୂର୍ବରୁ ଜୋରଦାର ପ୍ରସ୍ତୁତି, ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କ ପାଇଁ ଖୁସି ଆଣୁଛି ପାର୍ବଣ

ଭୁବନେଶ୍ୱର: ହାତରେ ମାତ୍ର ଆଉ ଗୋଟେ ମାସର ଅପେକ୍ଷା ଧରାବତରଣ କରିବେ ମା ଦୁର୍ଗତିନାଶିନୀ । ଚିକମିକ ଆଲୋକମାଳାରେ ଚମକିବ ଗାଁ ରୁ ସହର । ପୂଜା ଯେତେ ପାଖେଇ ଆସୁଛି ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। କେଉଁଠି ତୋରଣ ପାଇଁ ବାଉଁଶ ବନ୍ଧା ଚାଲିଛି ତ ଆଉ କେଉଁଠି ମାଙ୍କ ସୁନା ଚାନ୍ଦି ମେଢ଼ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଦୁର୍ଗାପୂଜା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ପ୍ରାୟ ୧୭୮ଟି ପୂଜା ପେଣ୍ଡାଲରେ ମାଙ୍କ ଆକର୍ଷଣୀୟ ମୂର୍ତ୍ତି ପୂଜା ପାଇବ । ଯେଉଁଥି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା ଯୋଗୁଁ ଗତ ୨ ବର୍ଷ ହେବ ମାଆଙ୍କ ଦର୍ଶନ ତଥା ସାଜସଜ୍ଜା ତୋରଣ ମେଡ଼ ଆଦି ନିର୍ମାଣରେ କଟକଣା ଲାଗିଥିବା ବେଳେ ଚଳିତ ବର୍ଷ ମାଙ୍କ ପୂଜା ବେଶ ଧୂମଧାମରେ କରିବା ପାଇଁ ଲାଗିପଡିଛନ୍ତି ପୂଜା ମଣ୍ଡପ କର୍ମକର୍ତ୍ତା । ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର ମିଳିଛି କାମ । ପାର୍ବଣ ଆରମ୍ଭରୁ କାରିଗର ମାନେ ମାଙ୍କ ମଣ୍ଡପ ସାଜସଜ୍ଜା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ।

ସେହିଭଳି ଗତ ୨ ବର୍ଷ ହେବ ମାଙ୍କ ମୂର୍ତ୍ତିରେ ସୁନା ଚାନ୍ଦି ମେଢ ଲାଗିପାରି ନଥିଲା। ଏଥର କଟକଣା କୋହଳ ହୋଇଥିବାରୁ ସିଲଭର ସିଟି କଟକର ଖାନନଗର, ବକ୍ସିବଜାର, କଲେଜ ଛକ, ଦୋଳମୁଣ୍ଡାଇ, ଚାଉଳିଆଗଞ୍ଜ, ହରିପୁର ଭଳି ପ୍ରମୁଖ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ଲାଗି ହେବାକୁ ଥିବା ସୁସଜ୍ଜିତ ଚାନ୍ଦି ମେଡ଼ ପୂଜାର ଶୋଭା ବଢ଼ାଇବ। ଯାହାପାଇଁ ମେଢ଼ ପ୍ରସ୍ତୁତ କରୁଥିବା କାରିଗରମାନେ ଆଗୁଆ ପ୍ରସ୍ତୁତିରେ ଲାଗିପଡିଛନ୍ତି। ପୂଜା ପାଇଁ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ନିର୍ମାଣ କାମ ମଧ୍ୟ ଆଗେଇ ଚାଲିଛି। ତେବେ କଟକରେ ପୂର୍ବରୁ ୨୬ଟି ପୂଜା ମଣ୍ଡପରେ ଚାନ୍ଦି ମେଢ ସ୍ଥାନ ପାଉଥିବା ବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ରେ ପହଞ୍ଚିବ ବୋଲି କଟକ ପୂଜା ମଣ୍ଡପ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ୨ ବର୍ଷ ପରେ ଦଶହରା ପାଇଁ ଟ୍ୱିନସିଟିରେ ବେଶ ଭିଡ ଜମିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷେ, ମାଙ୍କ ଆଗମନ ପୂର୍ବରୁ କଟକ ଭୁବନେଶ୍ୱରରେ ବଡ଼ୁଥବା ଅପରାଧକୁ ନିୟନ୍ତ୍ରଣ କରିବାରେ ଲାଗିପଡିଛି କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଡିସିପି ପ୍ରତୀକଙ୍କ ନେତୃତ୍ୱରେ ବିଭିନ୍ନ ଛକ ତଥା ଗଳିକନ୍ଦି ଗୁଡିକରେ ପେଟ୍ରୋଲିଂ ସହିତ ଅପରାଧିଙ୍କ ଗତିବିଧି ଉପରେ ନଜର ରଖାଯାଉଛି ।

Get real time updates directly on you device, subscribe now.