fbpx

ଆଜି ଧରାପୃଷ୍ଠରୁ ମେଲାଣି ନେବେ ମାଆ; ପୁଣି ଗୋଟିଏ ବର୍ଷର ଅପେକ୍ଷା

ଓଡିଶା ଭାସ୍କର: ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ମା’ଙ୍କ ଆଗମନକୁ ନେଇ ପୁଣି ରହିବ ଗୋଟେ ବର୍ଷର ଅପେକ୍ଷା । ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ମା’ଙ୍କ ପୂଜାର ଆଜି ଅନ୍ତିମ ପର୍ୟ୍ୟାୟ । ଶେଷରେ ମା’ଙ୍କୁ ବିଦାୟ ଦେବାର ମୂହୂର୍ତ୍ତ ଆସି ପହଞ୍ଚିଛି । ମା’ଙ୍କ ମେଲାଣି ପାଇଁ ଟ୍ୱିନସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ମେଢ ଗୁଡ଼ିକ ଏକାଠି ହୋଇ ଶୋଭାଯାତ୍ରାରେ ବାହାରି ବିସର୍ଜିତ ହେବେ । ଡ଼ିଜେ ସହ ପାରମ୍ପରିକ ବାଦ୍ୟରେ ନାଚି ନାଚି ମା’ଙ୍କୁ ମେଲାଣି ଦେବେ ଶ୍ରଦ୍ଧାଳୁ। ତେବେ ଶୃଙ୍ଖଳିତ ଭାବେ କିପରି ଭସାଣି ଶୋଭାଯାତ୍ରାକୁ ସମାପ୍ତ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଭସାଣି ପାଇଁ ଟ୍ୱିନସିଟି କଟକ ଓ ଭୁବନେରରେ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଚଳିତ ବର୍ଷ ଭସାଣି କାର୍ୟ୍ୟକ୍ରମ ସମୟରେ ଟ୍ରାଫିକ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ସିଲଭର ସିଟି କଟରେ ଆଜି ସକାଳ ୭ଟାରୁ ଭସାଣି ଆରମ୍ଭ ହୋଇ ଗତକାଲି ପର୍ୟ୍ୟନ୍ତ ଚାଲିବ ବୋଲି ସମୟ ସୀମା ରହିଛି । ଏହି ସମୟରେ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୩ଟାରୁ ରାତି ୧ଟା କିମ୍ବା ଭସାଣ ଯାତ୍ରା ଶେଷ ହେବା ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି । ବାଣୀବିହାର ଠାରୁ ଆଚାର୍ୟ୍ୟବିହାର ଦେଇ ଗାଡ଼ି ଯାତାୟତ କରିବ । ସେପଟେ ଭସାଣିବେଳେ ଜନପଥ ରାସ୍ତାରେ ଗାଡ଼ି ଚଳାଚଳକୁ ମନା କରାଯାଇଛି । ସଚିବାଳୟ ମାର୍ଗ କିମ୍ବା ସଂଯୋଗ କରୁଥିବା ରାସ୍ତାଦେଇ ଗାଡି ଯିବ। ସିଆରପି ପଟୁ କଟକ ଯାଉଥିବା ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଏହା ସହ ସମସ୍ତ ଗାଡ଼ି ବିଜୁ ପଟ୍ଟନାୟକ କଲେଜ ଦେଇ ଜୟଦେବ ବିହାର ଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ ଗାଡ଼ି ଚଳାଚଳ ମନା କରାଯାଇଛି । ତେବେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡ଼ ଲାଇନ ଜାରି କରାଯାଇଛି।

ସେପଟେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହା ସହ ୮ ଜଣ ଅତିରିକ୍ତ ଡିସିପି, ୩୪ ଜଣ ଡିଏସପି, ୫୪ ଜଣ ଇନସ୍ପେକ୍ଟର , ୩୫୦ ଏସଆଇ ଓ ଏଏସଆଇ ଭଷାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଦାୟିତ୍ୱରେ ରହିବେ।। ଅଗ୍ନିଶମ ବାହିନୀର ଟିମ ମଧ୍ୟ ଦେବି ଗଡା ନିକଟରେ କୌଣସି ଅଘଟଣ ଏଡ଼ାଇବା ଲାଗି ଉପସ୍ଥିତ ରହିବେ। କଟକ ସହରରେ ଲାଗିଥିବା ୬୦୦ ସିସିଟିଭି କ୍ୟାମେରା ଜରିଆରେ କଣ୍ଟ୍ରୋଲ ରୁମରୁ ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.