fbpx

ଦତ୍ତେଶ୍ୱର ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତେଶ୍ୱର ହୋତା ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ହେତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଟନ୍ତି । ତେଣୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆକ୍ଟ, ୨୦୨୧ର ସେକ୍ସନ ୯ର ସବ-ସେକ୍ସନ (୭) ଅନୁଯାୟୀ କ୍ଷମତା ଦୃଷ୍ଟିରୁ ରାଜ୍ୟପାଳ ଏହି ନିଯୁକ୍ତି ଦେଇଥିବା ଜଣାପଡ଼ିଛି ।

ତେବେ ରାଜ୍ୟପାଳ ଗଣେଶୀଲାଲ ପ୍ରଫେସର ହୋତାଙ୍କୁ ଏକ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ଗତ ୫ ତାରିଖରେ ରାଜ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରତିଷ୍ଠା କରିଥିଲେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ନିକଟରେ ଥିବା କାର୍ଯ୍ୟାଳୟର ପ୍ରଥମ ମହଲାରେ ଏହାର ମରାମତି କାର୍ଯ୍ୟ ସମାପ୍ତ ହୋଇଥିଲା । ଆସନ୍ତା ୩ ମାସ ମଧ୍ୟରେ ଦ୍ୱିତୀୟ ମହଲା ମରାମତି କାର୍ଯ୍ୟ ସମାପ୍ତ ହେବ ବୋଲି କୁହାଯାଇଥିଲା ।

ଏହାପରେ ଉକ୍ତ ସ୍ଥାନରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ । ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ ପ୍ରଶାସନିକ ଅଫିସ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ନିକଟରେ ୫ ଏକର ଜମି ପ୍ରଦାନ କରିଛନ୍ତି । ସୁନାମଧନ୍ୟ ଡାକ୍ତର ଶ୍ରୀ ହୋତାଙ୍କୁ ଗତବର୍ଷ ଫେବୃଆରୀ ମାସରେ ଏହାର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୧୫୦ରୁ ଅଧିକ କଲେଜ କାର୍ଯ୍ୟ କରିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି ଓ ପରୀକ୍ଷା କାର୍ଯ୍ୟକାରୀ ହେବ । ଏଥିସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣା କରିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଡିଗ୍ରୀ ଓ ପିଜି କୋର୍ସ ଏହି ବିଶ୍ୱବିଦ୍ୟାଳୟ ପରିଚାଳନା କରିବ ।

Get real time updates directly on you device, subscribe now.