ବାୟୁ ପ୍ରଦୂଷଣ ଜନିତ ଅନେକ ରୋଗରୁ ମୁକ୍ତି ଦେବ ‘ଗୁଡ଼’: ଫୁସଫୁସ୍, ଶ୍ୱାସରୋଗ ଦୂର କରିବ, ଇମ୍ୟୁନିଟି ବୃଦ୍ଧିରେ ହେବ ସହାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୩୧ ତାରିଖ ଓ ନଭେମ୍ବର ୧ ତାରିଖରେ ସାରା ଓଡ଼ିଶାରେ ପ୍ରବଳ ମାତ୍ରାରେ ବାଣ ମରା ଯାଇଥିଲା । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ମାରିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନିୟମ ରହିଥିଲେ ହେଁ ଲୋକମାନେ ତାହାକୁ ନ ମାନି ରାତି ୧୨ଟା ପରେ ବି ଫୁଟାଇଥିଲେ । ଏପରିକି ବାସି ବାଣକୁ ମଧ୍ୟ ଲୋକମାନେ ତା’ ପରଦିନ ଫୁଟାଉଥିବାର ଦେଖାଯାଇଥିଲା । ତେବେ ବାଣ ମାରିବା କାରଣରୁ ରାଜଧାନୀର ଆକାଶ ଧୂଆଁମୟ ହୋଇଉଠିଥିଲା ଓ ବାୟୁ ପ୍ରଦୂଷିତ ହୋଇଥିଲା । ଦୀପାବଳିରେ ମରାଯାଇଥିବା ଏହି ବାଣ ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ୨୦୦ ଟପିଯାଇଥିବା କୁହାଯାଇଥିଲା ।
ଲୋକମାନେ ହଜାର ହଜାର ଟଙ୍କାର ବାଣି କିଣି ତାହାକୁ ଘଣ୍ଟା ଘଣ୍ଟା ଧରି ମାରିଥିଲେ । ପରିଣାମ ସ୍ୱରୂପ ଭୁବନେଶ୍ୱରର ଆକାଶରେ ଧୂଅାଁମୟ ପରିବେଶ ଦେଖିବାକୁ ମିଳିଥିଲା । ତେଣୁ ମାତ୍ର କେଇ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ଅବସ୍ଥା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପରି ହୋଇଯାଇଥିଲା । ଦିଲ୍ଲୀ ଏନସିଆର ଅଞ୍ଚଳରେ ଦୀପାବଳୀ ରାତିରେ ବାୟୁ ପ୍ରଦୂଷଣର ସ୍ତର ବଢ଼ି ଏକ୍ୟୁଆଇ ୮୦୦ ଟପି ଯାଇଥିଲା । ଗତ ଅକ୍ଟୋବର ୩୧ ତାରିଖରେ ଏତେମାତ୍ରାରେ ବାଣ ମରାଯାଇଥିଲା ଯେ, ତାହା ଗତ ୩ ବର୍ଷର ରେକର୍ଡକୁ ଭାଙ୍ଗିଦେଇଥିଲା ।
ବାୟୁ ପ୍ରଦୂଷଣ କାରଣରୁ ଅନେକ ରୋଗ ସୃଷ୍ଟି ହୋଇଥାଏ । ବାୟୁ ପ୍ରଦୂଷଣ କାରଣରୁ ଆମର ଶୁଙ୍ଘିବା ଶକ୍ତି ହ୍ରାସ ପାଉଥିବା ନେଇ ଗତବର୍ଷ ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ସେହିପରି ବାୟୁ ପ୍ରଦୂଷଣ ଆମର ହାଡ଼କୁ ମଧ୍ୟ ଦୁର୍ବଳ କରିଦେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିସହିତ ଏହି କାରଣରୁ ଆମ ଶରୀରରେ ଫୁସଫୁସ, ଶ୍ୱାସରୋଗ ରୋଗ ବଢ଼ିବା ସହିତ ଅନେକ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏନେଇ ସୁପ୍ରିମକୋର୍ଟ ଅନେକ ଥର ସତର୍କ କରାଇଛନ୍ତି । ମାତ୍ର ଲୋକଙ୍କର ସଚେତନତା ଅଭାବରୁ ଏହାର ସୁଫଳ ମିଳିବା ବଦଳରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।
ତେବେ ବାୟୁ ପ୍ରଦୂଷଣରେ କିଛି ଖାଦ୍ୟ ଆପଣଙ୍କ ପାଇଁ ବରଦାନ ସାଜିପାରେ । ଆପଣମାନେ ଯଦି ଗୁଡ଼ ସେବନ କରିବେ ତେବେ ତାହା ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣ ବିରୋଧରେ ଲଢ଼େଇ କରିବେ । ଗୁଡ଼ ଶ୍ୱାସରୋଗ ପାଇଁ ଉତ୍ତମ ଖାଦ୍ୟ ହୋଇଥିବା ବେଳେ ଏହା ଆମର ଇମ୍ୟୁନିଟି ବୁଷ୍ଟ କରିବାରେ ସହାୟକ ହୋଇଥାଏ । ଭାଇରସ ଓ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଶ୍ୱାସ ସମ୍ବନ୍ଧିତ ବିମାରୀକୁ ରୋକିବା ପାଇଁ ମଜବୁତ ଇମ୍ୟୁନିଟି ହେବା ନିହାତି ଜରୁରୀ । ଏଥିସହିତ କାଶ, ସର୍ଦ୍ଦିର ଚିକିତ୍ସା ପାଇଁ ଗୁଡ଼ ବହୁତ ଭଲ କାମ କରିଥାଏ । ଏହାର ମିଠା ଓ ଗରମ ଗୁଣ କାଶକୁ ଶାନ୍ତ କରିବା ସହ ଜ୍ୱଳନକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଗୁଡ଼କୁ ମିଶାଇ ହର୍ବାଲ ଚା’ କରି ପିଇଲେ ସର୍ଦ୍ଦିର ଲକ୍ଷଣରୁ ମୁକ୍ତି ମିଳିଥାଏ । ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହେବା ସହିତ ଏହି ସଫାଇ ପ୍ରକ୍ରିୟା ଦ୍ୱାରା ଫୁସଫୁସ ଓ ବାୟୁମାର୍ଗ ସୁସ୍ଥ ହୋଇଥାଏ । ଏଥିସହିତ ଗୁଡ଼ ଖାଇଲେ ଆଲର୍ଜିରୁ ମୁକ୍ତି ମିଳିଥାଏ । ଧୂଳି, ଧୂଆଁରେ କାମ କରୁଥିବା ଲୋକମାନେ ନିୟମିତ ଗୁଡ଼ ସେବନ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି । ଗୁଡ଼ ସେବନ କଲେ ବାୟୁ ପ୍ରଦୂଷଣରେ ହେଉଥିବା ବୀମାରୀର ସମ୍ଭାବନା କମ୍ ହୋଇଥାଏ ।