fbpx

ଘୁଞ୍ଚିବ କି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବେ EC

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ନରେନ୍ଦ୍ର ମୋଦି ଓ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇବା ନେଇ ପରାମର୍ଶ ଦେଇଥିଲେ । ତେବେ ଆଜି ଦେଶର ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିବେ ।

ଅପରପକ୍ଷେ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁରୋଧ ଆଧାରରେ ଡିସେମ୍ବର ୨୮ରୁ ୩୦ ତାରିଖ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ସୁଶୀଲ ଚନ୍ଦ୍ରା ରାଜ୍ୟ ଗସ୍ତ କରିବେ । ଗତ ଶନିବାର ଦିନ ସିଇସି ଶ୍ରୀ ଚନ୍ଦ୍ରା ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ଦେଶରେ ଓମିକ୍ରନ ଦିନକୁ ଦିନ ବଢ଼ିଚାଲିଥିବାରୁ ନିର୍ବାଚନ ହେଲେ ରାଲି ଓ ପ୍ରଚାର ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ବିଭିନ୍ନ ମହଲରୁ କୁହାଯାଉଛି । ତେବେ ୟୁପି ସହ ଅନ୍ୟ ରାଜ୍ୟରେ ନିର୍ବାଚନ ଘୁଞ୍ଚିବ କି ନା ସେନେଇ ନିଷ୍ପତ୍ତି ନିର୍ବାଚନ ଆୟୋଗ କରିବ ।

ଗତବର୍ଷ କରୋନା ପାଇଁ କିଛି ରାଜ୍ୟରେ ପଞ୍ଚାୟତ ଓ ବିଧାନସଭା ନିର୍ବଚାନକୁ ଆୟୋଗ ଘୁଞ୍ଚାଇଥିଲେ । ସମ୍ବିଧାନର ୩୨୪ ଧାରା ଅନୁଯାୟୀ ନିର୍ବାଚନ କରାଇବାର ଦାୟିତ୍ୱ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ରହିଛି । ଏଥିସହ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୫୨, ୫୭ ଓ ୧୫୩ରେ ନିର୍ବାଚନ ରଦ୍ଦ ବା ଘୁଞ୍ଚାଇବା ନେଇ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବା, ଦଙ୍ଗା ବା ପ୍ରାକୃତିକ ଦୁର୍ବିପାକ ଘଟଣା ଘଟିବା, ନିର୍ବାଚନରେ ଗଡ଼ବଡ଼ି ଦେଖାଦେବା, ଅର୍ଥର ଦୁରୂପଯୋଗ ବା ଭୋଟରଙ୍କୁ ଲାଞ୍ଚ ଦେବା ଭଳି ସ୍ଥିତି ଉପୁଜିଲେ ନିର୍ବାଚନ ଆୟୋଗ ନିର୍ବାଚନକୁ ଘୁଞ୍ଚାଇ ପାରିବେ ।

Get real time updates directly on you device, subscribe now.