fbpx

ଗୁଜରାଟରେ ରାବଣ ନୁହେଁ, ଇଡି-ସିବିଆଇର ଦହନ କରି ପାଳିତ ହେଲା ଦଶହରା

ଅହମ୍ମଦାବାଦ: ବୁଧବାର ସମଗ୍ର ଦେଶରେ ରାବଣ ପୋଡି ସହ ଦଶହରା ବେଶ ଜାକଜମକର ସହ ପାଳନ କରାଯାଇଛି। ତେବେ ଚର୍ଚ୍ଚାର ବିଷୟ ପାଲଟିଛି ଗୁଜରାଟର ଭୁଜରେ ଆୟୋଜିତ ରାବଣ ପୋଡି। ଏଠାରେ କଚ୍ଛ ଜିଲ୍ଲା କଂଗ୍ରେସ ପକ୍ଷରୁ ରାବଣ ନୁହେଁ ଇଡି, ସିବିଆଇ ଏବଂ ଦରବୃଦ୍ଧିର କୁଶପୁତ୍ତଳିକା ଦାହ କରାଯାଇ ଦଶହରା ପାଳନ କରାଯାଇଛି। କଂଗ୍ରେସ ଭୁଜର ହମିରସରରେ ବିଜେପି ସରକାର ବିରୋଧରେ ଖୁବ୍ ବିରୋଧ ପ୍ରଦର୍ଶନ କରିଛି।

ଦଶହରା ଉପଲକ୍ଷେ କଂଗ୍ରେସ କର୍ମକର୍ତ୍ତା ରାବଣ ଜାଗାରେ ଇଡି, ସିବିଆଇ ଏବଂ ଦରବୃଦ୍ଧିର କୁଶପୁତ୍ତଳିକା ଜଳାଇବା ସହ ଖୁବ୍ ନାରାବାଜି ଦେଇଛନ୍ତି। ରାଜ୍ୟରେ ବିଧାନସଭା ପାଖେଇ ଆସୁଥିବାରୁ ବିଜେପିକୁ ନିଶାଣ କରିଛି କଂଗ୍ରେସ। ଦରବୃଦ୍ଧି, ବିପର‌୍ୟ୍ୟସ୍ତ ସ୍ଵାସ୍ଥ୍ୟ ବ୍ୟବସ୍ଥା, ମହଙ୍ଗା ଶିକ୍ଷା ଏବଂ ଜିଏସଟି ପରି ପ୍ରସଙ୍ଗ ଉଠାଇଛି ଗୁଜରାଟ କଂଗ୍ରେସ।

ଦଶହରା ଅବସରରେ କଂଗ୍ରେସ ବିଜେପି ଉପରେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଥିବା ଅଭିଯୋଗ କରିଛି। ଇଡି ଏବଂ ସିବିଆଇର ଭୟ ଦେଖାଇ ବିରୋଧୀ ନେତାଙ୍କ ଉପରେ ଚାପ ପକାଯାଉଛି। ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଗୃହ ରାଜ୍ୟ।

Get real time updates directly on you device, subscribe now.