ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ଏହି କ୍ରମରେ ଆଜି ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରାଯାଇଛି । ମମିତା ମେହେରା ହତ୍ୟା ଘଟଣାକୁ ବିରୋଧ କରି ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ମନ୍ତ୍ରୀ ଏପରି ହଟହଟା ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରା ହତ୍ୟାକାଣ୍ଡ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ଏହି ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇ ଆସୁଛି । ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ବିରୋଧ କରାଯାଇ ଅଣ୍ଡାମାଡ଼ କରାଯାଇଥିଲା ।