fbpx

ରାଜ୍ୟର ୮ଟି ସହରର ଲୋକମାନେ ପିଉଛନ୍ତି ଦୂଷିତ ପାଣି, ସିଏଜିଙ୍କ ରିପୋର୍ଟ ବଢ଼ାଇଲା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଯୋଗାଣ ହେଉଥିବା ପାଣିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ୨୦୧୬-୧୭ ମସିହା ସୁଦ୍ଧା ରାଜ୍ୟରେ ଜଳନୀତି ଲାଗୁ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ମାତ୍ର ବର୍ଷ ବର୍ଷ ସମୟ ଅତିକ୍ରାନ୍ତ ହେବା ପରେ ବି ତାହା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ବର୍ତ୍ତମାନ ରାଜ୍ୟବାସୀ ଯେଉଁ ଜଳପାନ କରୁଛନ୍ତି, ତାହା ବିଶୁଦ୍ଧ କି ନା ସେନେଇ ପ୍ରଶ୍ନ ଉଠିଛି । ୨୦୧୯ ନଭେମ୍ବରରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ହୋଇଥିବା ଜଳ ନମୂନା ପରୀକ୍ଷା ରିପୋର୍ଟକୁ ନେଇ ବଢ଼ିଯାଇଛି ସନ୍ଦେହ ।

ରାଜ୍ୟର ୮ଟି ସହରର ୩୨ଟି ଉତ୍ସ ସ୍ଥଳରୁ ପାଣି ସଂଗ୍ରହ କରାଯାଇ ସିଏଜି ଯାଞ୍ଚ ପାଇଁ ଏହାର ନମୂନା ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ରାଜ୍ୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ପରୀକ୍ଷାଗାରକୁ ପଠାଯାଇଥିଲା । ଏହି ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ୱର, ରାୟଗଡ଼ା, ସୁନାବେଡ଼ା, ଚୌଦ୍ୱାର, କୋରାପୁଟ, ବାଲେଶ୍ୱର, ପୁରୀ ଓ ବଲାଙ୍ଗିର ଆଦି ସାମିଲ୍ ଥିଲା । ତେବେ ୨୧ଟି ରିପୋର୍ଟରୁ ୩୧ଟି ସ୍ଥାନରେ ପାଣିର ମାନ ବିଆଇଏସ ଷ୍ଟାଣ୍ଡାର୍ଡ ଅନୁସାରେ ଅସୁରକ୍ଷିତ ଓ ଅନୁପଯୁକ୍ତ ଥିଲା । ୨୨ଟିରେ ନମୂନାରେ ଉଚ୍ଚ ଟର୍ବିଡିଟି ଥିଲା, ଯାହାକି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ପାଣିର ଭୌତିକ, ରାସାୟନିକ, ଜୀବାଣୁ, କୀଟନାଶକ, ଧାତବ ଉପସ୍ଥିତି ବିଷୟରେ ପରୀକ୍ଷା କରାଯାଇଥିଲା । ତେବେ ଏହି ପାଣି ପିଇବା ପାଇଁ ସୁରକ୍ଷିତ ନୁହେଁ ବୋଲି ଅଧିକାଂଶ ନମୂନାରୁ ରିପୋର୍ଟ ଆସିଥିଲା । ସହରାଞ୍ଚଳ ପାନୀୟ ଜଳଯୋଗାଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉନଥିବା ସିଏଜି ପ୍ରକାଶ କରିଛନ୍ତି । ଅଧିକାଂଶ ଜଳଯୋଗାଣ ଡିଭିଜନରେ ପାଣି ବିଶୋଧନ ପ୍ଲାଣ୍ଟରେ ଖୁବ୍ କମସଂଖ୍ୟାରେ ପରୀକ୍ଷଣ ହୋଇଛି । ବର୍ତ୍ତମାନ କରୋନା, ବାୟୁ ପ୍ରଦୂଷଣ, ଅଦିନିଆ ବର୍ଷା, ଲଘୁଚାପ ଆଦି ସମସ୍ୟା ସହ ରାଜ୍ୟ ଜୁଝୁଥିବା ବେଳେ ଜଳକୁ ନେଇ ଅବହେଳା ନିହାତି ପକ୍ଷେ ଚିନ୍ତାଜନକ । ଏପରି ଦୂଷିତ ପାଣି ପାନ କରି ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଧିକାଂଶ ଲୋକ ରୋଗଗ୍ରସ୍ତ ହୋଇ କେବଳ ହସ୍ପିଟାଲ ଧାଇଁବେ । ତେଣୁ ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ।

Get real time updates directly on you device, subscribe now.