fbpx

Why Team India Lost: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଶୋଚନୀୟ ଭାବେ ପରାସ୍ତ ହେବା ପଛର ୮ଟି କାରଣ

ନୂଆଦିଲ୍ଲୀ: ସମାପ୍ତ ହୋଇଯାଇଛି ଟିମ୍ ଇଣ୍ଡିଆର ବିଶ୍ୱକପ ଜିତିବାର ସ୍ୱପ୍ନ । ସେମିଫାଇନାଲରେ ପ୍ରତିପକ୍ଷ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଘରକୁ ଫେରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ୍ କରିଥିଲା । ଏହି ମ୍ୟାଚରେ ଭାରତ ସଂଘର୍ଷ କରିବ ବୋଲି ସମସ୍ତେ ଆଶା କରୁଥିଲେ । ମାତ୍ର ସେପରି କିଛି ଘଟିନଥିଲା । ଇଂଲଣ୍ଡର ବିନା ୱିକେଟ ହରାଇ ମାତ୍ର ୧୬ ଓଭରରେ ୧୭୦ ସଂଗ୍ରହ କରି ଏକତରଫା ଭାବେ ବିଜୟ ହାସଲ କରିନେଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଭାରତର ପରାଜୟ ପଛର କାରଣ କ’ଣ ହୋଇପାରେ ।

୧- ଗତ ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ୭ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିନା ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିନେଇଥିଲା । ଅତୀତର ଭୁଲରୁ ଭାରତ କିଛି ଶିଖି ପାରିଲା ନାହିଁ ।

୨- ଗତବର୍ଷ ବିଶ୍ୱକପରେ ବିରାଟ କୋହଲି ୪୯ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ । ମାତ୍ର ଏଥର ଇଂଲଣ୍ଡ ବିପକ୍ଷରେ ୪୦ ବଲରୁ ୫୦ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ରେ ଏହା ଧୀମା ବ୍ୟାଟିଂର ନିଦର୍ଶନ ନୁହେଁ କି?

୩- ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ୩୩ଟି ବଲରୁ ୬୩ ରନ୍ ସଂଗ୍ରହ କରିଥିଲେ । ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା ଓ ବିରାଟଙ୍କ ପରି ଷ୍ଟାର ବ୍ୟାଟ୍ସମ୍ୟାନ ଇଂଲଣ୍ଡର ବୋଲରକୁ ଠିକ୍ ଭାବେ ମୁକାବିଲା କରିବାରେ ଅକ୍ଷମ ହୋଇଥିଲେ ।

୪- ଇଂଲଣ୍ଡର ଦୁଇ ଓପନର ଜୋସ ବଟଲର ଓ ଆଲେକ୍ସ ହେଲ୍ସଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ ସମସ୍ତ ଭାରତୀୟ ବୋଲର । ଦୁଇ ବ୍ୟାଟ୍ସମ୍ୟାନଙ୍କ ପ୍ରହାରରୁ କୌଣସି ବୋଲର ବର୍ତ୍ତି ପାରିନଥିଲେ । ଭାରତ ୧୦ ଓଭରରେ ମାତ୍ର ୬୨ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୧୫ ଓଭରରେ ୧୦୦ ରନ୍ ସଂଗ୍ରହ କରିଥିଲା ।

୫- ଭାରତୀୟ ଓପନର କେ.ଏଲ ରାହୁଲ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ପରି ବଡ଼ ବଡ଼ ଟିମ୍ ବିପକ୍ଷରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିଲେ । ସେ ଇଂଲଣ୍ଡ ବିପକ୍ଷରେ ୫, ପାକିସ୍ତାନ ବିପକ୍ଷରେ ୪ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ରନ୍ ସଂଗ୍ରହ କରିଥିଲେ ।

୬- ୱିକେଟ କିପର ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କୁ ନେଇ ଟିମରେ ଦ୍ୱନ୍ଦ୍ୱ ଦେଖାଯାଇଥିଲେ । ଦୁହେଁ ଅଲଟରନେଟିଭ୍ ଭାବେ ଖେଳିବା ଦ୍ୱାରା ଏହା ପରୋକ୍ଷରେ ଟିମର କ୍ଷତି ଘଟାଇଥିଲା । ଦୁହିଁଙ୍କ ମଧ୍ୟରୁ କେହି ସଫଳତା ହାସଲ କରିପାରିନଥିଲେ ।

୭- ଚଳିତ ବିଶ୍ୱକପରେ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ସେପରି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଏହି ଖରାପ ପ୍ରଦର୍ଶନ ଅନ୍ୟ ମ୍ୟାଚକୁ ପ୍ରଭାବିତ କରିପାରି ନଥିବା ବେଳେ ସେମିରେ କିନ୍ତୁ ଦଳକୁ ମହଙ୍ଗା ପଡ଼ିଲା ।

୮- ଚଳିତ ବିଶ୍ୱକପରେ ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେପରି କିଛି ଖାସ୍ ରଣନୀତି ଆପ୍ଲାଏ କରିଥିବା ଭଳି ମନେ ହେଉ ନଥିଲା । ଅନ୍ତର୍ଜାତୀୟ ସ୍ତରର ଇଭେଣ୍ଟରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହର ଅଭାବ ପରିଲକ୍ଷିତ ହୋଇଥିଲା ।

Get real time updates directly on you device, subscribe now.