fbpx

କରୋନା କଟକଣା : ପୋଲିସ କହୁଛି ବାହାରକୁ ବାହାରନା, ହାତୀ କହୁଛି ଘରେ ରୁହନା

ମୟୁରଭଞ୍ଜ,୨୭ ।୩(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ ଲକ୍ ଡାଉନ୍ । ଏପ୍ରିଲ ୧୫ ଯାଏ ଘରୁ ବାହାରକୁ ବାହାରିବା ଉପରେ କଟକଣା । ଏକ ପ୍ରକାର କର୍ଫ୍ୟୁ ପରିସ୍ଥତି । ଜରୁରୀ ପରିସ୍ଥତି ନଥିଲେ ଘରୁ ବାହାରକୁ ବାହାରିବା ଉପରେ ଜବରଦସ୍ତ କଟକଣା । ଅନାବଶ୍ୟକ ଭାବେ ଘରୁ ବାହାରିଲେ ଗାଁ ହେଉ ବା ସହର ମାମଲା ରୁଜ୍ଜୁ କରୁଛି ପୋଲିସ । କେଉଁଠି କେଉଁଠି ତ ଅମାନିଆଁଙ୍କୁ ଧୁଲେଇବି କରୁଛି । ତେଣୁ କରୋନା ଭୟ ହେଉ ବା ପୋଲିସର ମାଡ ଭୟ ଘରୁ ବାହାରୁ ନାହାନ୍ତି ଲୋକ । କିନ୍ତୁ ମୟୁରଭଞ୍ଜ ଜିଲ୍ଲା ମୋରଡାର ଚିତ୍ର ଅଲଗା । ଏଠି ଲୋକଙ୍କୁ ଘରେ ରଖିଦେଉନି ହାତୀ ।

ଝାରଖଣ୍ଡ ଜଙ୍ଗଲରୁ ୨୫ ଜଣିଆ ହାତୀପଲ ଏବେ ଏହି ଅଞ୍ଚଳ ଜଙ୍ଗଲରେ ଡେରା ପକାଇଛନ୍ତି । କେତେବେଳେ ବିକଟାଳ ରଡି କରୁଛନ୍ତି ତ କେତେବେଳେ ଗଛ ଭାଙ୍ଗିବାର କଡମଡ ଶବ୍ଦ ଶୁଭୁଛି । ଅତୀତରେ ହାତୀପଲ ଗାଁ ଭିତରକୁ ପଶି ଘର ଭାଙ୍ଗିବା ସହ ମଣିଷକୁ ଦଳି ଚକଟି ଦେଉଥିବା ନଜିର ଥିବାରୁ ଏବେ ଏହାକୁ ଲାଗିଥିବା ଚାରି ପାଞ୍ଚଟି ଗାଁ ଲୋକ ଭୟରେ ଅଛନ୍ତି । କରୋନା ସିନା ସାମାଜିକ ଦୂରତ୍ୱକୁ ବୁଝିବ ହେଲେ ବୁଝିବେନି ହାତୀପଲ । ଏକା ଦେଖିଲେ ଆକ୍ରମଣ କରିବାର ଭୟ ଥିବାରୁ ଗାଁ ଲୋକ ସଂଘବଦ୍ଧ ହୋଇ ଗାଁ ରେ ପହରା ଦେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା କରୋନା ସଂକ୍ରମଣରୁ ହୁଏତ କେହି ବଂଚିଯାଇପାରେ ମାତ୍ର ହାତୀ ଆକ୍ରମଣ କଲେ ଏକାଥରକେ କଥା ସରିଲା । ଧନହାନୀ ସହ ଜୀବନ ହାନୀ । ଏଭଳି ଅବସ୍ଥାରେ ଘର ଭିତରେ ରହିବେ ବା କିପରି ? ଅବଶ୍ୟ ପରିସ୍ଥିତିକୁ ନଜରରେ ରଖି ବନ ବିଭାଗ ମଧ୍ୟ ହାତୀପଲ ଘଉଡେଇବା ପାଇଁ ଅଭିଯାନ ଆରମ୍ଭ କରିଛି ।

Get real time updates directly on you device, subscribe now.