fbpx

ଏଲନ୍ ମସ୍କଙ୍କ ଭାରତ ଯାତ୍ରା ହେଲା ରଦ୍ଦ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାର ଥିଲା ଆଲୋଚନା

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲ ୨୧ ଓ ୨୨ରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ସେ ତାଙ୍କର ଯାତ୍ରା ସ୍ଥଗିତ କରି ଦେଇଛନ୍ତି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥାନ୍ତେ । ଏହି ସମୟରେ ସେ ଭାରତୀୟ ବଜାରରେ ପ୍ରବେଶ ନେଇ ଘୋଷଣା କରିଥାନ୍ତେ ।

ତେବେ ଏଲନ୍ ମସ୍କଙ୍କ ଯାତ୍ରା କାହିଁକି ସ୍ଥଗିତ କରାଗଲା ତାହାର କାରଣ ଜଣାପଡିନାହିଁ । ଏପ୍ରିଲ ୧୦ରେ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଥିଲେ କି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଉତ୍ସୁକ ଅଛନ୍ତି । ଏହା ବ୍ୟତିତ ସେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ଯୁକ୍ତି ଉପସ୍ଥାପନ ମଧ୍ୟ କରିଥିଲେ ।

ଭାରତ ସରକାର ଏକ ନୂଆ ଇଲେକ୍ଟ୍ରିକ୍ ବାହନ ନିର୍ମାଣ ନୀତି ଘୋଷଣା କରିଥିଲେ । ଏହା ଜରିଆରେ ମେକ୍ ଇନ୍ ଇଣ୍ଡିଆ ଲାଗି ପ୍ରତିବଦ୍ଧ ଇଲେକ୍ଟ୍ରିକ୍ କାର୍ କମ୍ପାନୀଙ୍କୁ ଟିକସ ରିହାତି ଦିଆଯିବା ନେଇ ଘୋଷଣା କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ଇଲେକ୍ଟ୍ରିକ୍ ଓ ଡ୍ରାଇଭରଲେସ୍ କାର୍‌କୁ ନେଇ ପ୍ରସିଦ୍ଧ । ଏହା ପୂର୍ବରୁ ଏକ ବିଶେଷ ସୂତ୍ରରୁ ଜଣାପଡିଥିଲା କି ମସ୍କ ଭାରତରେ ୨୦ରୁ ୩୦ ଅରବ ଡଲାର ନିବେଶ କରିବାକୁ ଯାଉଛନ୍ତି ।
ଗତ ବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ମସ୍କ ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ମସ୍କ କହିଥିଲେ ସେ ୨୦୨୪ରେ ଭାରତ ଗସ୍ତରେ ଆସିବେ । ଏହା ସହିତ ତାଙ୍କ କମ୍ପାନୀ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.