fbpx
BJD
BJD SKY
BJD SKY

BMCର କଠୋର ନିୟମ: ସକାଳ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିବେ ସମସ୍ତ କର୍ମଚାରୀ, ବିଳମ୍ବ ହେଲେ କଟିବ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ କର୍ମଚାରୀମାନେ ସାବଧାନ ହୋଇଯାଆନ୍ତୁ । ଏଣିକି ନିୟମିତ, ଠିକା ଓ ବାହ୍ୟ ସମସ୍ତ କର୍ମଚାରୀ ସକାଳ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିବେ । ୧୦ଟା ୩୦ ପରେ ଅଫିସରେ ପହଞ୍ଚିଲେ ତାହାକୁ ବିଳମ୍ବ ବୋଲି ଧରାଯିବ । ଅଫିସରେ ବିଳମ୍ବରେ ପହଞ୍ଚିଲେ କର୍ମଚାରୀଙ୍କର ଦରମା କାଟି ଦିଆଯିବ । ବିଏମସି ଚିକିତ୍ସାଳୟ ସମେତ ଜୋନ୍ କାର୍ଯ୍ୟାଳୟ ପାଇଁ ମଧ୍ୟ ସମାନ ନିୟମ ରହିଛି । ଏ ନେଇ ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟର ମାନ ବୃଦ୍ଧି ଓ ବୃତ୍ତିଗତ ମାନ ବଢ଼ାଇବା ପାଇଁ ଏହି ସମୟ ନିର୍ଘଣ୍ଟ କରାଯାଇଛି । ବହୁ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚୁ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଏମସି କର୍ତ୍ତୃପକ୍ଷ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ବାଧ୍ୟତାମୂଳକ କରାଯାଇଛି । କର୍ମଚାରୀମାନେ ପ୍ରତ୍ୟେକ ଦିନ ସକାଳ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିଲେ । ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

କର୍ମଚାରୀଙ୍କ ଅଫିସ ଆସିବା ସମୟ ବାୟୋମେଟ୍ରିକ ତଥ୍ୟ ଆଧାରରେ ଗଣନା କରାଯିବ । ଆବଶ୍ୟକ ପ୍ରମାଣ ଦେଲେ ମାରେ ୨ ଥର ବିଳମ୍ବକୁ ବାଦ୍ ଦିଆଯିବ । ମାତ୍ର ୨ରୁ ଅଧିକ ଥର ଏପରି ଘଟିଲେ କର୍ମଚାରୀଙ୍କର ଅଧାର ଦିନର ସିଏଲ କଟିଯିବ । ୧୦ ଦିନରୁ ଅଧିକ ବିଳମ୍ବ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭାଗୀୟ ଅଧିକାରୀମାନେ କର୍ମଚାରୀଙ୍କର ଛୁଟିର ରେକର୍ଡ ପ୍ରଦାନ କରିବେ । ତେବେ କ୍ଷେତ୍ରରେ କାମ କରୁଥିବା ଷ୍ଟାଫଙ୍କ ପାଇଁ କିଛିଟା ନିୟମ କୋହଳ କରାଯାଇଛି । ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇବେ । ସିଏଲ / ଇଏଲ ନଥାଇ ୭ ଦିନ ବିଳମ୍ବରେ ଆସିଲେ ଗୋଟିଏ ଦିନର ଦରମା କଟିଯିବ । ସମସ୍ତଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.