fbpx
BJD
BJD SKY
BJD SKY

ମାଗଣାରେ ଉପମା, ଜିଲାପି ସହ ଫିଲ୍ମ ଟିକେଟ୍ ବି ମିଳୁଛି, ଏହି ସହରରେ ଭୋଟରଙ୍କୁ ବମ୍ପର ଅଫର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ୩ ପର୍ଯ୍ୟାୟ ମତଦାନ ହୋଇସାରିଛି । ଏବେ ୪ର୍ଥ ପର୍ଯ୍ୟାୟରେ ମେ’ ୧୩ ତାରିଖରେ ଭୋଟ ଗ୍ରହଣ ହେବ । ଭୀଷଣ ଗରମ ଓ ଲୁ ପ୍ରବାହ ଭିତରେ ବମ୍ପର ମତଦାନ ଏବେ ବି ନିର୍ବାଚନ କମିଶନଙ୍କ ଲାଗି ଚିନ୍ତାର ବିଷୟ ହୋଇରହିଛି । ତୃତୀୟ ପର୍ଯ୍ୟାୟରେ ପ୍ରାୟ ୬୫% ମତଦାନ ହୋଇଛି । ମତଦାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ କେବଳ ନିର୍ବାଚନ କମିଶନ ନୁହଁନ୍ତି ଜିଲ୍ଲା ପ୍ରଶାସନ ବି ନୂଆ ନୂଆ ଉପାୟ ଆପଣାଉଛନ୍ତି । ଭୋଟ ଦେଲେ ଲୋକଙ୍କୁ ମାଗଣାରେ ଉପମା, ଜିଲାପି ସହ ସିନେମା ଟିକେଟ୍ ଉପରେ ମଧ୍ୟ ବମ୍ପର ଡିସକାଉଣ୍ଟ ଦିଆଯାଉଛି । କିଛି ସହରରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କ୍ଷେତ୍ରରେ ବିଶେଷ ରିହାତି ବ୍ୟତିତ ଅନ୍ୟାନ୍ୟ ଅଫର ବି ଦିଆଯାଉଛି ।

୩ ପର୍ଯ୍ୟାୟ ମତଦାନ ପରେ ଏବେ ମେ’ ୧୩, ୨୦, ୨୫ ଓ ଜୁନ୍ ୧ରେ ଆଗାମୀ ପର୍ଯ୍ୟାୟ ମତଦାନ ହେବ । ନିର୍ବାଚନ କମିଶନଙ୍କ ଅନୁଯାୟୀ ଗତ ୩ ପର୍ଯ୍ୟାୟରେ ଆଶାନୁରୂପକ ମତଦାନ ହୋଇନାହିଁ । ପ୍ରଥମ ପର୍ଯ୍ୟାୟରେ ୬୬.୧୪%, ୨ୟରେ ୬୬.୭୧%, ୩ୟରେ ୬୫.୬୮% ମତଦାନ ହୋଇଛି । ବିଭିନ୍ନ ରାଜନୈତିକ ଦଳ, ନେତା ଓ ଆଇକନଙ୍କ ଦ୍ୱାରା ନିବେଦନ କରାଯିବା ପରେ ବି ମତଦାନ ହାର ବଢୁନାହିଁ । ଏପରି ସ୍ଥିତିରେ ନିର୍ବାଚନ କମିଶନ, ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ବ୍ୟବସାୟୀ ବି ଲୋକଙ୍କୁ ସଚେତନ କରିବା ଲାଗି ଆକର୍ଷଣୀୟ ଅଫରମାନ ପ୍ରଦାନ କରୁଛନ୍ତି ।

ଏହି କ୍ରମରେ ଦିଲ୍ଲୀରେ ମେ’ ୨୫ରେ ଭୋଟ ଗ୍ରହଣ ହେଉଥିବା ବେଳେ ଏହିଦିନ ସମସ୍ତ କର୍ମଚାରୀଙ୍କୁ ସବୈତନିକ ଛୁଟୀ ଘୋଷଣା କରିଛି ଦିଲ୍ଲୀ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ । ସେହିପରି ମୁମ୍ବାଇରେ ଟ୍ରେନରେ ମତଦାତାଙ୍କ ଲାଗି ଟିକେଟ୍ କ୍ଷେତ୍ରରେ ୧୦% ବିଶେଷ ରିହାତି ଦିଆଯାଉଛି ।

ମଧ୍ୟପ୍ରଦେଶ ଇନ୍ଦୋରରେ ମେ ୧୩ ତାରିଖରେ ଭୋଟଗ୍ରହଣ ହେବ । ଏଠାରେ ବସ୍ ଅପରେଟର ଭୋଟରଙ୍କ ଲାଗି ୩ ଦିନ ବସ୍‌ରେ ଯାତ୍ରା କରିବା ଫ୍ରି କରିଦେଇଛନ୍ତି । ଏହା ସହିତ ମତଦାନ କେନ୍ଦ୍ରରେ ଭୋଟର ଲକି ଡ୍ର ଜରିଆରେ ଟି’ ସାର୍ଟ ଓ ଟୋପି ପାଇପାରିବେ । ସେହିପରି ଇନ୍ଦୋରରେ ବ୍ୟବସାୟୀ ସଂଘ ଘୋଷଣା କରିଛନ୍ତି କି ଭୋଟ କାଳି ଲାଗିଥିବା ଆଙ୍ଗୁଠି ଦେଖାଇ ଲୋକମାନେ ମାଗଣାରେ ଉପମା ଓ ଜିଲାପି ଖାଇପାରିବେ ।

ଗୁରୁଗ୍ରାମରେ ବିି ଭୋଟରଙ୍କ ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି । ଏଠାରେ ଭୋଟ ଦେବା ପରେ ଭୋଟର କାଳି ଲାଗିଥିବା ଅଙ୍ଗୁଳି ଦେଖାଇ ଡିସକାଉଣ୍ଟରେ ଫିଲ୍ମ ଟିକେଟ୍ ପାଇପାରିବେ । ଏହା ସହିତ ସିନେମା ହଲ୍‌ରେ ମିଳୁଥିବା ସ୍ନାକ୍ସ ଉପରେ ବି ବିଶେଷ ରିହାତି ମିଳିବ । ଏଠାରେ ମେ’ ୨୫ ତାରିଖରେ ଭୋଟ ଗ୍ରହଣ ହେବ ।

Get real time updates directly on you device, subscribe now.