ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆଗାମୀ ନୂଆ ବର୍ଷ ଆସୁଥିବା ବେଳେ ଏହି ଅବସରରେ କର୍ମଚାରୀଙ୍କୁ ମିଳିପାରେ ଏକ ବଡ଼ ଉପହାର । ସାଧାରଣ ଭାବେ କର୍ମଚାରୀମାନେ ୫ ବର୍ଷ ବା ତା’ ଠାରୁ ଅଧିକ ବର୍ଷ ଚାକିରି କଲା ପରେ ସେମାନେ ଗ୍ରାଚ୍ୟୁଟି ପାଇବାକୁ ହକଦର ହୋଇଥାନ୍ତି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଭଳି ଗ୍ରାଚ୍ୟୁଟିରେ ମଧ୍ୟ କମ୍ପାନୀ ଓ କର୍ମଚାରୀଙ୍କ ଅଂଶଧନ ରହିଥାଏ । କର୍ମଚାରୀଙ୍କ ଅବସର ପରେ ସରକାର ସେମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ଯୋଜନା କରୁଛନ୍ତି ।
ସୂଚନା ମୁତାବକ, କର୍ମଚାରୀମାନେ ୫ ବର୍ଷ ବା ତା’ଠାରୁ ଅଧିକ ସମୟ ଚାକିରି କରିବା ପରେ ଗ୍ରାଚ୍ୟୁଟି ପାଇବାକୁ ହକଦାର ହେଉଥିବା ବେଳେ ଏହି ନିୟମରେ ଏବେ ପରିବର୍ତ୍ତନ ହୋଇପାରେ । ସରକାର ଏହି ଅବଧିକୁ ୧ ବର୍ଷ ହ୍ରାସ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଯଦି ଏହି ନିୟମ କେନ୍ଦ୍ର ସରକାର ଲାଗୁ କରନ୍ତି, ତେବେ ଏହାଦ୍ୱାରା କୋଟି କୋଟି କର୍ମଚାରୀ ବିଶେଷ ଭାବେ ଉପକୃତ ହୋଇପାରନ୍ତେ । ଅଧିକାଂଶ କର୍ମଚାରୀ ନିଜର ଚାକିରି ଜୀବନ ସମାପ୍ତ ପରେ ଗ୍ରାଚ୍ୟୁଟି ଅର୍ଥ ନେବାକୁ ପସନ୍ଦ କରୁଥିବା ବେଳେ ଏହା ସେମାନଙ୍କୁ ଅଧିକ ଲାଭ ପ୍ରଦାନ କରିପାରେ ।
ଏପରି ସ୍ଥିତିରେ ଯଦି କୌଣସି କର୍ମଚାରୀ ଏକ କମ୍ପାନୀରେ କାର୍ଯ୍ୟରତ ଥିବେ ତେବେ ସେ ଅବସର ଗ୍ରହଣ ପରେ ଗ୍ରାଚ୍ୟୁଟି ଅର୍ଥ ପାଇ ପାରିବେ । ତେବେ କାର୍ଯ୍ୟସ୍ଥଳରେ ଯଦି କର୍ମଚାରୀଙ୍କ ମୃତ୍ୟୁ ବା ସେ ଦିବ୍ୟାଙ୍ଗ ହୋଇଯାଆନ୍ତି ତେବେ ଗ୍ରାଚ୍ୟୁଟି ପ୍ରିମାଚ୍ୟୁର ହୋଇପାରିବ । ଯଦି କୌଣସି କମ୍ପାନୀ ଗ୍ରାଚ୍ୟୁଟି ନିୟମ ଦେବାକୁ ଅଗ୍ରାହ୍ୟ କରିବେ, ତେବେ ଏନେଇ କର୍ମଚାରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିପାରିବେ ।