fbpx

ଇଞ୍ଜିନିୟରିଂ ଛାତ୍ର ସାଇକେଲରେ କରୁଥିଲେ ଖାଦ୍ୟ ଡେଲିଭରି, ଏବେ ମିଳିଲା ବାଇକ୍

ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଟରନେଟରରେ ସବୁକିଛି ସମ୍ଭବ ହୋଇପାରୁଛି । ଆଜି ଇଣ୍ଟରନେଟ ସମସ୍ତଙ୍କୁ ଏକତ୍ର କରିବାରେ ସହାୟକ ହେବା ସହ ଅନେକ ଲୋକଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିପାରୁଛି । ଇଣ୍ଟରନେଟ୍ ପାଇଁ ହାଇଦ୍ରାବାଦର ଜଣେ ଇଞ୍ଜିନିୟରିଂ ଛାତ୍ର ମହମ୍ମଦ ଅକିଲଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି । ଜଣେ ଗ୍ରାହକ ଉକ୍ତ ଛାତ୍ରଙ୍କ ପାଇଁ ଅନଲାଇନରେ ପାଣ୍ଠି ସଂଗ୍ରହ କରିବା ଫଳରେ ତାଙ୍କୁ ଏକ ବାଇକ୍ ମିଳିବା ସମ୍ଭବପର ହୋଇଛି । ପୂର୍ବରୁ ମହମ୍ମଦ ସାଇକେଲରେ ଖାଦ୍ୟ ଡେଲିଭରି କରୁଥିବା ବେଳେ ଏବେ ତାଙ୍କୁ ଗିଫ୍ଟ ସ୍ୱରୂପ ମିଳିଛି ଏକ ବାଇକ୍ ।

କିଛିଦିନ ପୂର୍ବରୁ ହାଇଦ୍ରାବାଦର ରବିନ ମୁକେଶ ନାମକ ଜଣେ ଯୁବକ ଫୁଡ୍ ଡେଲିଭରି ଆପରେ ଚା’ ଅର୍ଡର କରିଥିଲେ । ଅର୍ଡର କରିବାର ମାତ୍ର ୨୦ ମିନିଟ୍ ସମୟରେ ମଧ୍ୟରେ ମହମ୍ମଦ ଡେଲିଭରି କରିଦେଇଥିଲେ । ରବିନ ଅର୍ଡର ଗ୍ରହଣ କରିବା ସମୟରେ ମହମ୍ମଦ ବର୍ଷାରେ ଓଦା ହୋଇଯାଇଥିଲେ । ଏହାପରେ ମହମ୍ମଦଙ୍କ ପରିସ୍ଥିତି ବିଷୟରେ ଜାଣି ତାଙ୍କୁ ସହାୟତା କରିବାକୁ ରବିନ ଇଚ୍ଛା ପ୍ରକାଶ କରିଥିଲେ । ରବିନ ଫେସବୁକରେ ମହମ୍ମଦ ଓ ସାଇକେଲର ଏକ ଫଟୋ ଅପଲୋଡ୍ କରିଥିଲେ । ଏହାଛଡ଼ା ଇଞ୍ଜିନିୟରିଂ ପାଠପଢ଼ା ସହ ସାଇକେଲରେ ଖାଦ୍ୟ ଡେଲିଭରି କାର୍ଯ୍ୟ କରୁଥିବା ମହମ୍ମଦଙ୍କ ପାଇଁ ଏକ ବାଇକ୍ ଯୋଗାଡ଼ ନିମନ୍ତେ ସହାୟତା କରିବାକୁ ମୁକେଶ ସମସ୍ତଙ୍କୁ ଅନୁରୋଧ କରିଥିଲେ । ମାତ୍ର ୧୨ ଘଣ୍ଟା ମଧ୍ୟରେ ରବିନ୍ ୭୩ ହଜାର ଟଙ୍କା ଯୋଗାଡ଼ କରିପାରିଥିଲେ । ଉକ୍ତ ଅର୍ଥରେ ରବିନ ମହମ୍ମଦଙ୍କୁ ଟିଭିଏସ୍ ଏକ୍ସଏଲ୍ ସହ ମାସ୍କ, ସାନିଟାଇଜର ଓ ଏକ ହେଲମେଟ୍ ପ୍ରଦାନ କରିଥିଲେ । ମହମ୍ମଦଙ୍କ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହମ୍ମଦଙ୍କ ପରିସ୍ଥିତିକୁ ବୁଝି ଆର୍ଥିକ ସହାୟତା ପ୍ରଦାନ କରିଥିବା ସହୃଦୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Get real time updates directly on you device, subscribe now.