fbpx

ଏଣିକି ଯୁକ୍ତ ତିନି ପାଠ୍ୟକ୍ରମରେ ସାମିଲ ହେବ ପରିବେଶ ଶିକ୍ଷା: ମତାମତ ଲୋଡ଼ିଲା UGC

ନୂଆଦିଲ୍ଲୀ: ଖୁବଶୀଘ୍ର ଯୁକ୍ତତିନି ପାଠ୍ୟକ୍ରମରେ ସାମିଲ ହେବ ପରିବେଶ ଶିକ୍ଷା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏ ବାବଦରେ ଏକ ଚିଠା ପ୍ରସ୍ତୁତ କରାଯାଇଛି । ଏହି ଚିଠା ପାଠ୍ୟସୂଚୀ ଉପରେ ମତାମତ ଦେବା ପାଇଁ ୟୁଜିସି ପକ୍ଷରୁ ବୁଦ୍ଧିଜୀବୀ, ଶିକ୍ଷାବିତଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା https://uamp.ugc.ac.in/ରେ ମତାମତ ପଠାଇବାକୁ ୟୁଜିସି ସଚିବ ରଜନୀଶ ଜୈନ୍ ଅନୁରୋଧ କରିଛନ୍ତି ।

ନୂଆ ଜାତୀୟ ଶିକ୍ଷାନୀତି (ଏନଇପି)-୨୦୨୦ର ନିୟମ ଅନୁଯାୟୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ସ୍ନାତକ ଶିକ୍ଷା ପାଠ୍ୟକ୍ରମରେ ପରିବେଶ ଶିକ୍ଷାକୁ ସାମିଲ କରାଯିବ । ୟୁଜିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚିଠା ପାଠ୍ୟସୂଚୀରେ ୯ଟି ୟୁନିଟ ବିଷୟ ରହିଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କର ଜ୍ଞାନ ଆହରଣରେ ସହାୟକ ହେବ । ଚିଠା ପାଠ୍ୟସୂଚୀ ଓ ଫ୍ରେମୱାର୍କ ଉପରେ ମତାମତ ଦେବା ପାଇଁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ସୂଚନା ମୁତାବକ, କଳା, ବାଣିଜ୍ୟ, ବିଜ୍ଞାନ ଓ ଅନ୍ୟ ବର୍ଗରେ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ସେମିଷ୍ଟରରେ ଏହି ପାଠ୍ୟକ୍ରମ ପଢ଼ିବେ । ଚଏସ ବେସଡ୍ କ୍ରେଡିଟ ସିଷ୍ଟମ (ସିବିସିଏସ) ସିଷ୍ଟମ ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ପଏଣ୍ଟ ରହିବ ଓ ଏଥିରେ ୮ଟି ୟୁନିଟ୍ ରହିବ । ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ସିଷ୍ଟମରେ ପରୀକ୍ଷାରେ ସ୍ଥାନ ପାଇବ । ଛାତ୍ରଛାତ୍ରୀମାନେ ପ୍ରଦୂଷଣର କାରଣ, ଜଙ୍ଗଲ କ୍ଷୟ, ବର୍ଜ୍ୟବସ୍ତୁ ମ୍ୟାନେଜମେଣ୍ଟ, ପରିବେଶ ସୁରକ୍ଷା, ଓଜୋନ ସ୍ତରର ହ୍ରାସ ଆଦି ବିଭିନ୍ନ ସମସ୍ୟା ଉପରେ ଆଧାରିତ ବିଷୟରେ ଅଧ୍ୟୟନ କରିବେ । ଗତ ୨୦୧୭ରେ ୟୁଜିସି ପକ୍ଷରୁ ସିବିସିଏସ ଅଧିନରେ ଆବିଲିଟି ଏହାନ୍ସମେଣ୍ଟ କମ୍ପଲସରି କୋର୍ସ (ଏଇସିସି- ପରିବେଶ ଶିକ୍ଷା) ଉପରେ ୮ ୟୁନିଟ ମଡୁଲର ସିଲାବସ୍ ପ୍ରସ୍ତୁତ କରାଯାଇଥିଲା । ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପରିବେଶ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.