fbpx

ବିଶ୍ୱ ହସ୍ତୀ ଦିବସରେ ପରିବେଶବିତଙ୍କ ନିଆରା ବାର୍ତ୍ତା, ରଙ୍ଗବେରଙ୍ଗ ମୁରୁଜରେ ସ୍ଥାନିତ ହେଲେ ଗଜରାଜ

ଭୁବନେଶ୍ୱର(ଓଡିଶା ଭାସ୍କର): ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ବିଶ୍ୱବାସୀ ଉକ୍ତ ଦିନଟିକୁ ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ଉଦେଶ୍ୟରେ ସମର୍ପିତ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି । ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ସେ ତିଆରିଛନ୍ତି ଏକ ସୁନ୍ଦର ହୃଦୟର ଛବି । ହୃଦୟ ମଧ୍ୟରେ ରହିଛି ଏକ ସୁନ୍ଦର ହସ୍ତୀର ଚିତ୍ର । ଆଉ ସେଥିରେ ଇଂରାଜୀ ଭାଷାରେ ସ୍ଥାନିତ କରିଛନ୍ତି ‘ସେଭ୍ ଏଲିଫ୍ୟାଣ୍ଟସ୍ ଟୁ ସେଭ୍ ମଦର ଆର୍ଥ’ର ଏକ ମନଛୁଆଁ ସ୍ଲୋଗାନ । ଯାହା ଆମ ସମାଜ ପାଇଁ ଏକ ସମୟୋପଯୋଗୀ ବାର୍ତ୍ତା ।

ସୁଶାନ୍ତ ଏ ସମ୍ପର୍କରେ କୁହନ୍ତି ହାତୀ ଏକ ଶାକାହାରୀ, ସୁନ୍ଦର ଓ ଶାନ୍ତିପ୍ରିୟ ପଶୁଟିଏ । ହାତୀ ଏକ ବିଶ୍ୱସ୍ତ ପ୍ରାଣୀ । କିନ୍ତୁ ହିଂସ୍ର ନୁହଁନ୍ତି, ହାତୀ ଆମର ସାଥୀ ପରି । ହାତୀ ଆମର ଶତ୍ରୁ ନୁହେଁ । ଜୈବ ବିବିଧତାର ସୁରକ୍ଷା ଓ ସନ୍ତୁଳନ ପାଇଁ ହସ୍ତୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହାତୀକୁ ନେଇ ଅନେକ ଚଳଚ୍ଚିତ୍ର ବି ତିଆରି ହୋଇଛି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗଜ ସଂସ୍କୃତିର ସ୍ୱତନ୍ତ୍ର ସ୍ଥାନ ଓ ତାତ୍ପର୍ଯ୍ୟ ବି ରହିଛି । ଇତିହାସ କୁହେ କଳିଙ୍ଗର ଲୋକେ ସାହାସୀ ଥିଲେ । ଏଣୁ ହୃଦୟର ସହ ପ୍ରତ୍ୟେକ ମଣିଷ ହାତୀକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରିବା ପାଇଁ ଶ୍ରୀ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଦଶବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଆମ ରାଜ୍ୟରେ ୮୪୩ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଯାହା ଆମ ରାଜ୍ୟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ବିଶେଷକରି ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ହାତୀଙ୍କ ସ୍ୱାଭାବିକ ଜୀବନଚର୍ଯ୍ୟା ବ୍ୟାହତ ହେଉଛି । ଯଦ୍ୱାରା ବାଧ୍ୟ ହୋଇ ଖାଦ୍ୟ ପାଇଁ ଜନବସତି ମୁହାଁ ହେଉଛନ୍ତି । ହାତୀ ଓ ମଣିଷ ଭିତରେ ଲଢେଇ ସୃଷ୍ଟି ହେଉଛି । ଏଥି ନିମନ୍ତେ ବ୍ୟାପକ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ରହିଛି । ପୁରାଣ କୁହେ ଗଜରାଜର ରକ୍ଷା ପାଇଁ ସ୍ୱୟଂ ଭଗବାନ ଓହ୍ଲାଇ ଆସିଥିଲେ । ନିଜେ ଚକ୍ରପେଶି ନକ୍ର (କୁମ୍ଭୀର)କୁ ନାଶ କରି ଉଦ୍ଧାର କରିଥିଲେ ଗଜରାଜଙ୍କୁ । ଏବେ ଆମ୍ଭେମାନଙ୍କ ସହଯୋଗ ନିତାନ୍ତ ଜରୁରୀ । ନଚେତ ଆମର ପରବର୍ତ୍ତୀ ପିଢୀ ଗଜରାଜଙ୍କୁ ମୁ୍ୟଜିୟମରେ ଦେଖିବାକୁ ପାଇବେ । ଏଣୁ ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଶ୍ୱବାସୀ ଏହି ଅବସରରେ ଦୃଢ ସଂକଳ୍ପ ନେବା ପାଇଁ ଶ୍ରୀ ସାହୁ ଆଶାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.