fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବାପାଙ୍କ ଠାରୁ ଭିନେ ହୋଇଥିବା ପୁଅ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ବାପାଙ୍କ ଠାରୁ ଭିନେ ହୋଇଥିବା ପୁଅ ମଧ୍ୟ ପିଏମ୍ ଆବାସ ଯୋଜନାରେ ସାମିଲ ହେବେ । ପୂର୍ବ ସରକାର ଅମଳରେ ବାପା ପକ୍କାଘର ପାଇଥିଲେ ଭିନେ ହୋଇଥିବା ପୁଅଙ୍କୁ ଯୋଜନାରେ ସାମିଲ କରାଯାଉ ନଥିଲା । ମାତ୍ର ଏବେ ଭିନେ ହୋଇଥିବା ପୁଅଙ୍କୁ ଉକ୍ତ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ପକ୍କାଘର ଯୋଗାଇ ଦିଆଯିବ । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଏ ବାବଦରେ ବଡ଼ ସୂଚନା ଦେଇଛନ୍ତି ।

ପୂର୍ବରୁ ଅନେକ ଗରିବ ଲୋକ ପକ୍କାଘର ପାଇବାରୁ ବଞ୍ଚିତ ହେଉଥିବା ବେଳେ ଏବେ ଭିନେ ପୁଅଙ୍କୁ ଚିହ୍ନଟ କରାଯାଇ ଯୋଗ୍ୟମାନଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ । ଏହି ଯୋଜନାରେ ରାଜ୍ୟର ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ । ସାଧାରଣ ଭାବେ ନିଜର ଘର କରିବା ସମସ୍ତଙ୍କର ସ୍ୱପ୍ନ ରହିଥାଏ । ମାତ୍ର ପର୍ଯ୍ୟାପ୍ତ ଅର୍ଥ ଅଭାବରୁ ଅନେକ ଲୋକ ନିଜର ସ୍ୱପ୍ନର ଘର ନିର୍ମାଣ କରିବାରେ ବଞ୍ଚିତ ହୋଇ ରହିଯାଇଥାନ୍ତି । ତେଣୁ ଏହି ଯୋଜନା ଜରିଆରେ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ଲୋକଙ୍କୁ ପିଏମ୍ ଆବାସ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ପିଏମ୍ ଆବାସ ଯୋଜନାର ଫାଇଦା ପାଇବାକୁ ହେଲେ ହିତାଧିକାରୀଙ୍କ ବାର୍ଷିକ ପାରିବାରିକ ଆୟ ୩ ଲକ୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ । ମାନଦଣ୍ଡ ଆଧାରରେ ହିତାଧିକାରୀ ମନୋନୟନ ପାଇଁ ୬ ମାସ ସମୟ ଲାଗିବ । ୨୦୧୭-୧୮ରେ କେନ୍ଦ୍ର ସରକାର ସର୍ବଭାରତୀୟ ସ୍ତରରେ ଏକ ତାଲିକା ପ୍ରସ୍ତୁତ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ତାଲିକା ମାଗିଥିଲେ । ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏକ ନିୟମାବଳୀ ପ୍ରତି ବ୍ଲକକୁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପରେ ବିରୋଧୀ ବିଜେଡି ପକ୍ଷରୁ ମଧ୍ୟ ଜବାବ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତାଲିକାରେ ୨୨ ଲକ୍ଷ ହିତାଧିକାରୀ ରହିଥିବା ବେଳେ ତାହାକୁ କାଣ୍ଟଛାଟ କରି ୧୫ ଲକ୍ଷ ହିତାଧିକାରୀଙ୍କ ତାଲିକା ଦିଆଯାଇଥିବା ବିଜେଡି କହିଛି ।

Get real time updates directly on you device, subscribe now.