ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏହି ଦେବତାଙ୍କୁ ସ୍ତ୍ରୀ ଭାବରେ ସଜାଯାଇ ଥାଏ। କେହି କେହି ତାଙ୍କୁ ଶକ୍ତି ଭାବରେ ପୂଜା ମଧ୍ୟ କରୁଛନ୍ତି। ତେବେ ସେ ହଉଛନ୍ତି ବୁଧ ଗ୍ରହ, ତାଙ୍କୁ ଅନେକ ସ୍ଥାନରେ ‘ବୁଧେଇ ଓଷା’ ଓ ‘ବୁଧିବାମନ ଓଷା’ ନାମରେ ପୂଜା କରିଥାନ୍ତି। ପୁରାଣ କଥା ଅନୁସାରେ ସ୍ୱୟଂ ଜଗନ୍ନାଥ ଆଷାଢ଼ରେ ବାମନ ହେଲେ ମଧ୍ୟ, ଭାଦ୍ରବରେ ବୁଧିବାମନରେ ପରିଣତ ହୋଇ ଏଥିରେ ପୂଜା ପାଇଥାନ୍ତି। ସେହିପରି ବୁଧ କ୍ରମଶଃ ବୁଧେଇରେ ପରିଣତ ହୋଇଯାଇଛନ୍ତି। ସାଧାରଣତଃ ସଧବା ନାରୀମାନେ ଆପାତତଃ ପୁତ୍ର କାମନା କରି ବା ପୁତ୍ରର ମଙ୍ଗଳ କାମନା କରି ଏହି ଓଷା କରିଥାଆନ୍ତି।
ଶ୍ରାବଣ ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ ‘ବୁଧେଇ ଓଷା’ ପାଳନ କରାଯାଏ। ସେହି ମାସ ଭିତରେ ପଡ଼ୁଥିବା ବୁଧବାର ଗୁଡ଼ିକରେ ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି। ଏହି ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଉପଚାରରେ ଆସ୍ଥାନ ଉପରେ ସ୍ଥାପନ କରାଯାଏ। ଅଁଳାକୁ ଗଂଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ। ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ।
ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ। କେତେକ ସ୍ଥାନରେ ଫୁଲମାଳ ସହିତ ସେହି ହଳଦୀରେ ଗଢ଼ା ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ। ଓଷା କୋଠି ଆଗରେ ପାହାଡ଼ା ପଡ଼ିଥାଏ। ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି, ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ। ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ। ପ୍ରଥମେ ଇଷ୍ଟଦେବୀ ଭାବରେ ବିମଳାଙ୍କୁ ସ୍ତୁତି କରାଯାଉଥିଲେ ମଧ୍ୟ, ହଳଦୀ ନିର୍ମିତ ମୂର୍ତ୍ତିକୁ ଜଗନ୍ନାଥ ଓ ବିମଳା ବା ବୁଧ ଓ ମଂଗଳା ଭାବରେ ମଧ୍ୟ ପୂଜା କରାଯାଏ। ଆଜି ହେଉଛି ଏହି ଓଷାର ଶେଷ ପାଳି ବା ଏବର୍ଷର ବୁଧେଇ ଓଷା ସରିବାକୁ ଯାଇଛି।