fbpx

ରାଷ୍ଟ୍ରପତିଙ୍କୁ ବି ମ୍ୟାଚ୍ ଦେଖିବାକୁ ଅନୁମତି ମିଳିଲା ନାହିଁ, ଅଧିକାରୀ କହିଲେ- ପ୍ରଥମେ କରୋନା ଟିକା ଲଗାଇକି ଆସନ୍ତୁ

ନୂଆଦିଲ୍ଲୀ : ବ୍ରାଜିଲରେ କରୋନା ନିୟମ ପାଳନ କରିନଥିବାରୁ ରାଷ୍ଟ୍ରପତିଙ୍କୁ ମଧ୍ୟ କୌଣସି କୋହଳ ମିଳୁନାହିଁ । ଏହାର ଏକ ସଦ୍ୟତମ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିନାହିଁ । ସାଣ୍ଟୋସ୍ ବନାମ ଗ୍ରେମିଓ ଫୁଟବଲ ମ୍ୟାଚରେ ଟିକା ନେଇନଥିବାରୁ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇ ନାହିଁ । ପ୍ରଥମେ ଆପଣ କରୋନା ଟିକା ଲଗାଇ ଆସନ୍ତୁ ପୁଣି ଆଗାମୀ ମ୍ୟାଚ୍ ଦେଖି ପାରିବେ ବୋଲି ଅଧିକାରୀ ରାଷ୍ଟ୍ରପତିଙ୍କୁ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ମୁଁ କେବଳ ସାଣ୍ଟୋସର ମ୍ୟାଚ୍ ଦେଖିବାକୁ ଚାହୁଁଥିଲି । କିନ୍ତୁ ପ୍ରଥମେ ଟିକା ଲଗାଇବା ଆସିବାକୁ ମୋତେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

କରୋନା ମହାମାରୀ ଆରମ୍ଭ ହେବା ପରେ ସାଣ୍ଟୋସ ବନାମ ଗ୍ରେମିଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏହା ପ୍ରଥମ ମୁକାବିଲା ଥିଲା । ହେଲେ ମ୍ୟାଚ୍ ପାଇଁ ଆୟୋଜକ କରୋନା ଗାଇଡଲାଇନ୍ ପ୍ରସ୍ତୁତ କରିଥିଲେ । ଟିକା ନେଇଥିବା ବ୍ୟକ୍ତି କିମ୍ବା ଆରଟି ପିସିଆର ନେଗେଟିଭ୍ ଲୋକଙ୍କୁ ହିଁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦିଆଯାଇଛି ।

ମ୍ୟାଚ୍ ଦେଖିବାକୁ ରାଷ୍ଟ୍ରପତି ବୋଲସୋନାରୋ ଅନେକ ବାହାନା କରିଥିଲେ ମଧ୍ୟ ଆୟୋଜକ ପ୍ରବେଶ ଅନୁମତି ଦେଇନଥିଲେ । ବୋଲସୋନାରୋ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭ୍ୟାକ୍ସିନ ନେଇଥିବା ଲୋକଙ୍କ ତୂଳନାରେ ତାଙ୍କ ଶରୀରରେ ଅଧିକ ଆଣ୍ଟିବଡି ରହିଛି । ଏପରିକି ଅନେକ ଲୋକଙ୍କ ତୂଳନାରେ ତାଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ କ୍ଷମତା ରହିଛି । ତାଙ୍କ ପ୍ରତି କରୋନାର କୌଣସି ବିପଦ ନଥିବା ରାଷ୍ଟ୍ରପତି ବୋଲସୋନାରୋ କହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ବୋଲସୋନାରୋ ବର୍ତ୍ତମାନ ସାଓ ପାଉଲରେ ଛୁଟି ମନାଉଛନ୍ତି । ସେ କରୋନା ଭାଇରସ୍ ଟିକା ପ୍ରତି ସନ୍ଦେହ ବ୍ୟକ୍ତ କରିଛନ୍ତି ଏବଂ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି । ୨୦୨୦ ଜୁଲାଇରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିଛି ସପ୍ତାହ କ୍ୱାରେଣ୍ଟାଇନରେ ରହିବା ପରେ କାମକୁ ଫେରିଥିଲେ ।

 

Get real time updates directly on you device, subscribe now.