fbpx

୨୦୫୦ ସୁଦ୍ଧା ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରତି ୪ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ହେବେ ବୃଢ଼ା: UNFPA

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ) ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ନିର୍ଦ୍ଦେଶକ ପି ସ୍ମିଥ ମଙ୍ଗଳବାର ଦିନ କହିଛନ୍ତି ଯେ, ୨୦୫୦ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ସଂଖ୍ୟା ମହିଳାମାନଙ୍କର ରହିବ ।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସ୍ମିଥ କହିଛନ୍ତି ଯେ, ଲୋକଙ୍କ ବୟସ ବଢ଼ିବା ସହିତ ଏହି ଦେଶମାନଙ୍କରେ ପ୍ରଜନନ ହାର ମଧ୍ୟ ହ୍ରାସ ପାଉଛି ଏବଂ କମ୍ ପିଲା ଜନ୍ମ ହେଉଛନ୍ତି । ସେ କହିଛନ୍ତି, ‘ଏହାର ଅର୍ଥ ହେଉଛି ଗୋଟିଏ ପଟେ ଲୋକଙ୍କ ବୟସ ବଢ଼ୁଛି ଏବଂ ଅନ୍ୟ ପଟେ ଜନସଂଖ୍ୟା ମଧ୍ୟ ହ୍ରାସ ପାଉଛି ।’

ସ୍ମିଥ୍ କହିଛନ୍ତି ଯେ, ୨୦୫୦ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ହେବେ । ଯଦି କେବଳ ସଂଖ୍ୟା ଉପରେ ଧ୍ୟାନ ଦିଆଯାଏ ତେବେ ଏହା ବିପଦର ଘଣ୍ଟି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଏହା ବୁଝିବାକୁ ହେବ ଯେ, ଲୋକଙ୍କ ବୟସ ବୃଦ୍ଧି ଏବଂ କମ୍ ପ୍ରଜନନ ହେଉଛି ଏକ ସମସ୍ୟା ଯାହାର ସମାଧାନ କାହାର ନିୟନ୍ତ୍ରଣରେ ନାହିଁ । ସେ କହିଛନ୍ତି ଯେ, ସେଗୁଡ଼ିକ ହେଉଛି ଜନସଂଖ୍ୟାଗତ ପରିବର୍ତ୍ତନ ଯାହା ମଣିଷ ନିଜ ଇତିହାସରେ ଲଗାତାର ଭାବରେ ଅନୁଭବ କରିଆସୁଛି ଏବଂ ଏହିପରି ପରିବର୍ତ୍ତନ ରାତାରାତି ହୁଏ ନାହିଁ ।

ସ୍ମିଥ କହିଛନ୍ତି, ‘ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ସମୟ ସମୟରେ ନିବେଶ କରିବାକୁ ପଡ଼ିବ । ଏହା ଏକାକୀ କରାଯାଇପାରିବ ନାହିଁ । ଆମକୁ ବଡ଼ ଆକାରକୁ ଦେଖିବା ଆବଶ୍ୟକ । ବଢ଼ୁଥିବା ମାନବିକ ସଙ୍କଟ, ଦ୍ରୁତ ଜଳବାୟୁ ପରିବର୍ତ୍ତନ, ସହରୀକରଣ ବୃଦ୍ଧି, ସ୍ଥାନାନ୍ତରଣ ଏବଂ ଡିଜିଟାଲ୍ ଟେକ୍ନୋଲୋଜିର ଦ୍ରୁତ ବିକାଶ – ଏହା ସମସ୍ତ ଲୋକଙ୍କୁ ତାଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରଭାବିତ କରୁଛିି ।

Get real time updates directly on you device, subscribe now.