fbpx

Video; ନବୀନଙ୍କ ଏପରି ରୂପ ଦେଖି ସମସ୍ତେ କାବା, ଗତ ଦୁଇ ଦଶନ୍ଧି ଭିତରେ ଦେଖିନଥିଲେ ଓଡ଼ିଶାବାସୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ରୂପ ଆଗରୁ କେହି ଦେଖିନଥିଲେ । ଏତେ ସକ୍ରିୟ, ଏତେ ଜୋସ୍‌ରେ ପୂର୍ବରୁ ବୋଧହୁଏ ନବୀନଙ୍କୁ କେହି ଦେଖିନଥିଲେ । ବିଶେଷ କରି ଗତ କିଛି ବର୍ଷ ଧରି ନବୀନ ସତେ ଯେମିତି ଏକପ୍ରକାର ନିଷ୍କ୍ରିୟ ହୋଇଯାଇଥିଲେ । ଶାସକ ଦଳର ମୁଖ୍ୟ ଥିଲାବେଳେ ନବୀନ ସେତିକି ସକ୍ରିୟ ଥିବା ହୁଏତ କେହି ଦେଖିନଥିଲେ । କିନ୍ତୁ ବିରୋଧି ଦଳର ନେତା ଆସନରେ ବସିବା ପରେ ତାଙ୍କର ଜୋସ୍ ପୂରା ଓଡିଶାବାସୀ ଦେଖିଲେ । ଗତ କିଛି ଦିନର ଘଟଣା ଦେଖିଲେ ନବୀନଙ୍କର ନୂଆ ରୂପ ବିଷୟରେ ସମସ୍ତେ ଜାଣିପାରିବେ । ବିଶେଷ କରି ଏଥର ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ହଠାତ୍ ଯେମିତି ନୂଆ ଜୋସ୍‌ରେ ଆସିଯାଇଛନ୍ତି ବିଜେଡି ସୁପ୍ରିମୋ ।

ନିର୍ବାଚନ ଫଳାଫଳ ଆସିବା ପରେ ଦଳୀୟ ବିଧାୟକ ମାନଙ୍କୁ ନବୀନ ନିବାସରେ ଦଳର ମୁଖିଆ ହିସାବରେ ଯେମିତି ବିଧାୟକମାନଙ୍କୁ ଜଣ ଜଣ କରି ନିଜେ ନବୀନ କାରଣ ପଚାରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ନିର୍ବାଚନ ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରତିପକ୍ଷ ଦଳ ଜୋରଦାର ଟାର୍ଗେଟ୍ କରିଥିଲା । ହେଲେ ନିର୍ବାଚନ ପରେ ନବୀନ କିନ୍ତୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଥିଲେ । ବିଜେପି ଶାସନ ଭାର ନେବା ପରେ ବିରୋଧୀ ଦଳ ନେତା ଭାବେ ନବୀନ ନିଜ ଦଳର ଆଉ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତେ ଅନୁମାନ କରୁଥିଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେଡି ସୁପ୍ରିମୋ ନିଜେ ବିରୋଧୀ ଦଳ ନେତା ଆସନରେ ବସିଥିଲେ । ଲମ୍ବା ସମୟ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଥିଲା ।

ଆଉ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ହୋଇଥିଲେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିରୋଧୀ ଆସନକୁ ବିଲକୁଲ ହାଲକାରେ ନେଇନାହାଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବରଂ ପରାଜୟ ପରେ ବିରୋଧୀ ଦଳରେ ବସିବାକୁ ନବୀନ ଯେ ବେଶ୍ ଗୁରୁତ୍ୱର ସହ ନେଇଛନ୍ତି ତା’ର ସୂଚନା ସେ ନିଜ କାର୍ଯ୍ୟ ମାଧ୍ୟମରେ ଦେଇ ସାରିଛନ୍ତି । ଏଥର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ନବୀନ ଏକ ଛାୟା କ୍ୟାବିନେଟ୍ ଗଠନ କରିବା ମଧ୍ୟ ତା’ର ଏକ ଉଦାହରଣ । ନିଜ ବିଧାୟକମାନଙ୍କୁ ବିଭାଗ ବଣ୍ଟନ କରି ସରକାରଙ୍କ କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେବା ଘଟଣାରୁ ନବୀନଙ୍କ ସକ୍ରିୟତା ବେଶ୍ ବାରି ହୋଇପଡୁଛି ।

ଗତକାଲି ନୂଆ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ମଧ୍ୟ ଏପରି କିଛି ଘଟିଥିଲା ଯାହା ହୁଏତ କେହି ଆଶା କରିନଥିଲେ । ସବୁବେଳେ ଶାନ୍ତ ଓ ସରଳ ଦିଶୁଥିବା ନବୀନଙ୍କ ଭୀଷଣ ରୂପ ଦେଖିଥିଲା ସାରା ଓଡିଶା । ଅଧିବେଶନ ଆରମ୍ଭରୁ ରାଜ୍ୟପାଳଙ୍କ ଭାଷଣ ବେଳେ ବିରୋଧୀ ଦଳ ନେତା ନିଜ ଆସନରୁ ଉଠି ପଡିଥିଲେ ଆଉ ବିରୋଧ ଆରମ୍ଭ କରିଥିଲେ । ହେଲେ ଏତିକିବେଳେ ମାଇକ୍ ଓ କ୍ୟାମେରା ବନ୍ଦ କରିଦିଆଯାଇଥିଲା । କାରଣ ନବୀନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା କଥା ଉଠାଇବାକୁ ଚାହୁଁଥିଲେ । ଆଉ ଏହାପରେ ହଟ୍ଟଗୋଳ ହୋଇଥିଲା ଏବଂ ନବୀନଙ୍କ ସହ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ବାହାରକୁ ଆସି ନବୀନ କହିଥିଲେ କି ମୁଁ ଓ ମୋ ପାର୍ଟି ଦୁଃଖିତ ଏବଂ ଆଶ୍ଚର‌୍ୟ୍ୟ ।

ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବର୍ତ୍ତମାନର ସରକାର କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ମୁଁ ଯେତେବେଳେ ସରକାରରେ ଥିଲି, ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ହେଉଥିଲା । କିନ୍ତୁ ଏବେ ରାଜ୍ୟରେ ଆଇନଶୃଙ୍ଖଳାକୁ ଭାଙ୍ଗି ଦିଆଯାଇଛି ବୋଲି କହିଥିଲେ ନବୀନ । ଆଉ ବିଧାନସଭା ଆରମ୍ଭରୁ ହିଁ ନବୀନଙ୍କ ଏଭଳି ଆକ୍ରମଣାତ୍ମକ ରୂପ ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.