fbpx

ପରଲୋକରେ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ରାଜନେତାଙ୍କ ପରଲୋକ ଘଟିଛି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ଆଉ ନାହାନ୍ତି । ୭୪ ବର୍ଷରେ ଶ୍ରୀ ପାଣ୍ଡେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଲିଭର ଜନିତ ରୋଗରେ ପୀଡ଼ିତ ରହିଥିଲେ । ଗତ ୧୬ ତାରିଖରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବୃଥା ଯାଇଥିଲା । ଆଜି ଭୋର ୪ଟା ସମୟରେ ଶ୍ରୀ ପାଣ୍ଡେଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କ ନିକଟରେ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବହୁ ପ୍ରଶାସକ, ସାମ୍ବାଦିକ, ବନ୍ଧୁ ପରିଜନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ବିରେନ୍ଦ୍ର ରାଜ୍ୟ ରାଜନୀତିରେ ଜଣେ ପରିଚିତ ଚେହେରା । ସେ ଦୀର୍ଘବର୍ଷ ଧରି କଂଗ୍ରେସ ସହିତ ସାମିଲ ଥିଲେ । ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୬ ତାରିଖରେ ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ପରଲୋକ ଘଟିଥିଲା । ସେହିପରି ୪ ତାରିଖରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.