fbpx
BJD SKY
BJD SKY

ରାଜ୍ୟ ବିଜେପିର ପୂର୍ବତନ ସଭାପତିଙ୍କୁ ମିଳିଲା ବଡ଼ ଦାୟିତ୍ୱ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବାର ଏଥିପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଦଳ ପକ୍ଷରୁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ମୁତାବକ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀରଙ୍କୁ ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସମୀରଙ୍କ ନୂଆ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦଳ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଗତ ୨୦୨୦ ମସିହା ଜାନୁଆରୀ ମାସରୁ ୨୦୨୩ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ସମୀର ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଏବେ ରାଜ୍ୟ ବିଜେପିର ସଭାପତି ପଦରେ ମନମୋହନ ସାମଲ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତା’ର ସଂଗଠନରେ ନୂଆ ନେତାଙ୍କୁ ନିଯୁକ୍ତି ଦେଉଛି । ନିକଟରେ ଦଳ ୪ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିବା ସହ ୪ଟି ରାଜ୍ୟରେ ନୂଆ ପ୍ରଭାରୀ ଓ ସହପ୍ରଭାରୀ ଭାବେ ୯ ଜଣ ନେତାଙ୍କୁ ନିଯୁକ୍ତି ଦେଇଥିଲା । ଏଥିସହିତ ଗତ ୮ ତାରିଖରେ ଦଳ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ୧୦ ଜଣ ନେତାଙ୍କୁ ନିଯୁକ୍ତି ଦେଇଥିଲା ।

Get real time updates directly on you device, subscribe now.