fbpx
BJD SKY
BJD SKY

ଧରମ ଶାଳୀକୁ ଜୋର ଜବରଦସ୍ତ ବିବାହ କରି ଶାରୀରିକ ସମ୍ପର୍କ ରଖିଲେ ପୂର୍ବତନ ସରପଞ୍ଚ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

BJD

ରେଢ଼ାଖୋଲ (ଭାସ୍କର ନ୍ୟୁଜ୍‌) : ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ତାଙ୍କ ଧରମ ଶାଳୀକୁ ଘରକୁ ଆଣି ଜବରଦସ୍ତ ବିବାହ କରିଥିଲେ । ସେ ବିରୋଧ କରିବାରୁ ଘର ଭିତରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ । ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କୁ ଗିରଫ କରିଛି ।

ନାକଟିଦେଉଳ ଥାନା ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ହେଉଛନ୍ତି ବିରଞ୍ଚି ବେହେରା । ବୟସ ୫୮ ବର୍ଷ ହେବ । ବିବାହ ବହୁ ବର୍ଷ ପରେ ମଧ୍ୟ ତାଙ୍କର ପିଲାପିଲି ନଥିଲା । ଗତବର୍ଷ ତାଙ୍କ ପତ୍ନୀଙ୍କ ଦେହ ଅସୁସ୍ଥ ହୋଇଥିଲା । ପତ୍ନୀଙ୍କ ସେବା ଓ ଘର କାମ କରିବା ପାଇଁ ବିରଞ୍ଚି ତାଙ୍କ ଶାଳୀ(ପତ୍ନୀଙ୍କ ଧରମ ବାପାଙ୍କ ଝିଅ)କୁ ଘରକୁ ନେଇ ଆସିଥିଲେ । ଏଥିପାଇଁ ବିରଞ୍ଚିଙ୍କ ପତ୍ନୀ ଧରମ ବାପାଙ୍କ ପରିବାର ଲୋକ ସହମତି ଦେଇଥିଲେ । ଶାଳୀ ଘରକୁ ଆସିବା ପରେ ବେଶ୍‌ ଖୁସି ଥିଲେ ବିରଞ୍ଚି । ସେ ଆସୁ ଆସୁ ଅସୁସ୍ଥ ଧରମ ଭଉଣୀଙ୍କ କାମରେ ଲାଗି ପଡ଼ିଥିଲେ । ଏହାରି ଭିତରେ ଶାଳୀଙ୍କ ଉପରେ ପାପ ନଜର ପକାଇଲେ ବିରଞ୍ଚି । ଏପରିକି ଘର ଭିତରେ ପରିବାର ଲୋକଙ୍କ ଅଗୋଚରରେ ଜବରଦସ୍ତି ଶାଳୀଙ୍କୁ ବିବାହ କରିଥିଲେ । ତାଙ୍କ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଇଲେ । ଘରୁ ବାହାରକୁ ଛାଡୁନଥିଲେ । ବାରଣ ସତ୍ତେ୍ୱ ଶାଳୀଙ୍କ ସହିତ ବିରଞ୍ଚି ବାରମ୍ୱାର ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ସବୁ ଦେଖୁଥିଲେ ବିରଞ୍ଚିଙ୍କ ପତ୍ନୀ । ହେଲେ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି ।

ନିର୍ଯାତନା ଅସହ୍ୟ ହେବାରୁ ବିରଞ୍ଚିଙ୍କ ଶାଳୀ ମଙ୍ଗଳବାର ଘର ଛାଡ଼ି ତାଙ୍କ ବଡ଼ ଭଉଣୀଙ୍କ ଘରକୁ ପଳାଇ ଯାଇଥିଲେ । ଶାଳୀଙ୍କୁ ଘରେ ନପାଇ ବିରଞ୍ଚି ଚାରିଆଡ଼େ ଖୋଜିଥିଲେ । ମାତ୍ର ତାଙ୍କ ପତ୍ତା ପାଇନଥିଲେ । ପରେ ଧରମ ଶ୍ୱଶୁର ଘରକୁ ଫୋନ୍‌ କରି ଝିଅ କେଉଁଆଡେ ପଳାଇ ଯାଇଛି, ଥାନାରେ ଅଭିଯୋଗ କର ବୋଲି କହିଥିଲେ । ଝିଅ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ପୁଲିସ ନାବାଳିକାଙ୍କୁ ତାଙ୍କ ବଡ଼ ଭଉଣୀଙ୍କ ଘରୁ ଉଦ୍ଧାର କରି ମାଜିଷ୍ଟ୍ରେଟ୍‌ ଆଗରେ ୧୬୪ରେ ବୟାନ୍‌ ରେକର୍ଡ କରିଥିଲା । ଆଉ ସେହି ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ପୀଡ଼ିତା ଧରମ ବିଣୋଇ ବିରଞ୍ଚିଙ୍କ ମୁଖା ଖୋଲିଥିଲେ । ବିଗତ ଦିନରେ ଘଟିଥିବା ଗୋଟି ଗୋଟି କଥା ବଖାଣିଥିଲେ । ଏହା ପରେ ପୁଲିସ୍‌ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ବିରଞ୍ଚିଙ୍କୁ ଗିରଫ କରିଛି । ତାଙ୍କ ନାଁରେ ପୁଲିସ ବାଲ୍ୟବିବାହ, ଘରେ କାମ କରାଇବା, ଦୁଷ୍କର୍ମ ଭଳି ବିଭିନ୍ନ ସଂଗୀନ ଦଫା ଲଗାଇ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିରଞ୍ଚି କହିଛନ୍ତି, ମୁଁ ନିର୍ଦ୍ଦୋଷ । କେବଳ ପତ୍ନୀଙ୍କ ଦେହଖରାପ ପାଇଁ ମୁଁ ଘରେ ରଖିଥିଲି । କୌଣସି ଅପରାଧ କରିନି ବୋଲି ସଫେଇ ଦେଇଛନ୍ତି ବିରଞ୍ଚି ବେହେରା ।

Get real time updates directly on you device, subscribe now.