fbpx

ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ ଘଟିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଖବର ମୁତାବକ, ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହେବା ସହ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ ।

ଶ୍ରୀ ପାତ୍ର ୭ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ସୂର୍ଯ୍ୟ ଏକଦା ବିଜେଡିର ଜଣେ ଆଗଧାଡ଼ିର ଟାଣୁଆ ନେତା ଥିଲେ । ତାଙ୍କର ରାଜନୈତିକ କ୍ଷେତ୍ରରେ ବହୁ ବର୍ଷର ଅଭିଜ୍ଞତା ରହିଥିଲା । ସୂର୍ଯ୍ୟଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଭିନ୍ନ ରାଜନୈତିକ ଦଳ ବହୁ ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

୧୯୪୮ ମସିହା ଡିସେମ୍ବର ମାସ ୨୪ ତାରିଖରେ ସୂର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ସୂର୍ଯ୍ୟ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ବିଧାନସଭା ନିର୍ବାଚନରେ କ୍ରମାଗତ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ ଥର ବିଜେଡିରୁ ଓ ୨ ଥର ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୧୯ରେ ସୂର୍ଯ୍ୟ ଦିଗପହଣ୍ଡି ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ଜିତିଥିଲେ । ରାଜ୍ୟ ବିଧାନସଭାର ସଦସ୍ୟ ଥାଇ ସୂର୍ଯ୍ୟ ଇହଲୀଳା ସମ୍ବରଣ କରିଛନ୍ତି । ସେ ୨୦୧୯ ମସିହା ଜୁନ ୧ରୁ ୨୦୨୨ ମସିହା ଜୁନ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ରହିଥିଲେ । ସୂର୍ଯ୍ୟଙ୍କ ମୃତ୍ୟୁରେ ରାଜ୍ୟ ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

 

Get real time updates directly on you device, subscribe now.