fbpx
BSKY
BJD SHG SKY
BJD YOUTH SKY

ରେଭେନ୍ସାରୁ ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ବାତିଲ

କଟକ ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରେଭେନ୍ସା ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ।

କୋଭିଡ୍ ସ୍ଥିତିରେ ସୁଧାର ପରେ ପରୀକ୍ଷା ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ର କହିଛନ୍ତି । କେବେ ହେବ ପରୀକ୍ଷା ନିଷ୍ପତ୍ତି ପାଇଁ ଆଜି ବସୁଛି ବୈଠକ । ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ(XIMB) କରୋନା ଆକ୍ରାନ୍ତ ବାହାରିଥିଲେ ।

Get real time updates directly on you device, subscribe now.