fbpx

ପାଞ୍ଚ ଟଙ୍କିଆ କଏନରେ ଟ୍ରେନ୍ ଅଟକାଉଥିଲେ, ଲୁଟୁଥିଲେ ଯାତ୍ରୀଙ୍କୁ…

ଇନ୍ଦୋର: ରେଳ ଟ୍ରାକ୍ରେ ରଖି ଦେଉଥିଲେ ୫ଟଙ୍କିଆ କଏନ୍ । ବାସ୍ ଅଦ୍ଭୂତ ଟେକନିକ୍ରେ ଅଟକି ଯାଉଥିଲା ଟ୍ରେନ୍ । ଆଉ ଲୁଟିବାକୁ ସୁଯୋଗ ପାଇଯାଉଥିଲେ ଡକାୟତ ଦଳ । ଦୀର୍ଘଦିନ ଧରି ଏଭଳି ଚଳାଇଥିଲେ କାଣ୍ଡ । ଶହଶହ ଟ୍ରେନ୍ ଯାତ୍ରୀଙ୍କୁ ଲୁଟପାଟ କରୁଥିଲେ । ତେବେ ଏକ ସ୍ପେସାଲ୍ ଡ୍ରାଇଭ୍ କରି ଦୁଇ ରାଜ୍ୟର ପୋଲିସ୍ ମିଳିତ ଚଢ଼ଉ କରି ଧରିଛନ୍ତି ଲୁଟେରାମାନଙ୍କୁ । ଆଉ ତା’ପରେ ଫିଟିଛି ଟ୍ରେନ୍ ଅଟକିବାର ଟେକନିକ୍ ।

ଘଟଣାକ୍ରମ

ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଲୁଟ୍ ଚାଲିଥିବାବେଳେ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ । ଲୁଟେରାମାନେ ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନ ଆଦି ଦୂରଗାମୀ ଟ୍ରେନଗୁଡ଼ିକୁ ଟାର୍ଗେଟ୍ କରୁଥିଲେ । ଲୋକାଲ୍ ଟ୍ରେନ୍ ଅଟକାଇଲେ ଧରାପଡ଼ିବାର ଭୟ ଘାରିଥିଲା । ତେବେ ଦୁଇ ସପ୍ତାହ ପୂର୍ବେ ଅଧାରାତିରେ ଏକ ଏକ୍ସପ୍ରେସ୍ ଟ୍ରେନ୍ ଅଟକାଇ ଲୁଟ୍ କରୁଥିବା ୪ ଜଣ ଡକାୟତଙ୍କୁ ଜିଆରପି କାବୁ କରିନେବା ସହ ପୂରା ଘଟଣାର ପର୍ଦ୍ଦାଫାସ କରିଛି । ତନାଘନା ଚଳାଇବା ସହ ଏଥିପାଇଁ ଲୁଟ୍ ଟେକନିକ୍ ସମ୍ପର୍କରେ ଜାଣିବା ପାଇଁ ପୋଲିସ୍ ଲୁଟେରାମାନଙ୍କୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ୍ କରାଇଥିଲା । ତେବେ ଟ୍ରେନ୍ ଅଟକାଇବାରେ ଅଭିଯୁକ୍ତମାନଙ୍କ ଅଦ୍ଭୂତ କୌଶଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ଟେକନିକ୍

ଅଭିଯୁକ୍ତମାନେ ଯେମିତି ଟ୍ରେନ୍ ଟ୍ରାକ୍ ଉପରେ ଏକ ୫ ଟଙ୍କିଆ କଏନ୍ ରଖିଥିଲେ, ତତକ୍ଷଣାତ ସିଗନାଲ୍ ଆସିଯାଇଥିଲା ରେଡ୍ । ଆଉ ରେଡ୍ ସିଗନାଲ୍ ଦେଖି ଟ୍ରେନ୍ ଅଟକି ଯାଉଥିଲା । କୌଣସି ଜାମର୍ ବା ନିଅର୍ କମ୍ୟୁନିକେସନ୍ ଫାଇଣ୍ଡର୍ ଟେକନିକ୍ ବ୍ୟବହାର କରାଯାଉଥିବା ଚର୍ଚ୍ଚା ହେଉଛି । ପାଞ୍ଚ ଟଙ୍କିଆ କଏନ୍ରେ ସାଧାରଣତଃ ଲୌହାଂଶ ରହୁଥିବାରୁ ଏହା ଚୁମ୍ବକୀୟ ଶକ୍ତି ଆଡ଼କୁ ଆକର୍ଷିତ ହୋଇପାରେ ଏବଂ ଟ୍ରେନ୍ ଆର୍ଥିଂ ସହ କଡ଼ରେ ଥିବା ସିଗନାଲ୍ ପୋଲକୁ ସଂଯୋଗ କରାଇ ଲାଇଟ୍ ଅନ୍ ଅଫ୍ କରାଉଥିବା କେତେକ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରକୃତ ଟେକନିକ୍ ସମ୍ପର୍କରେ ସାର୍ବଜନୀନ କରାଯାଇନି । ବାସ୍ ଟ୍ରେନ୍ ଅଟକିବା କ୍ଷଣି ଲୁଟେରାମାନେ ଯାତ୍ରୀଙ୍କୁ ଲୁଟପାଟ୍ କରି ୧୫ ମିନିଟ୍ ମଧ୍ୟରେ ସେଠାରୁ ଖସି ଯାଉଥିଲେ । ସବୁଜ ସଂକେତ ଆସିବା ପୂର୍ବରୁ ସବୁ କାଣ୍ଡ ଭିଆଇ ଦେଉଥିଲେ ଅଭିଯୁକ୍ତମାନେ ।

ସ୍ୱୀକାରୋକ୍ତି

ରାହୁଲ ନାମକ ଜଣେ ଅଭିଯୁକ୍ତ ପୋଲିସକୁ କହିଛି ଯେ ତାର ବାପା ରେଲୱେରେ ଗ୍ୟାଙ୍ଗମ୍ୟାନ୍ ଭାବେ କାମ କରନ୍ତି । ବାପାଙ୍କ ସହ ରେଳ ଧାରଣାକୁ ବହୁବାର ଯିବାବେଳେ ସେ ଏଭଳି ଟେକନିକ୍ ଶିଖିପାରିଥିବା ସ୍ୱୀକାର କରିଛି । ଏହା ଯେକୌଣସି ରେଳ ଧାରଣାରେ ସମ୍ଭବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.