fbpx

ଭାରତର ୩ କୋଟିପତି ସାରା ଜୀବନରେ ଯେତେ କମାଇଛନ୍ତି, ତାଠୁ ଅଧିକ ୧୦ ମାସରେ ହରାଇଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ବାଦ୍ ଦେଲେ ଚଳିତ ବର୍ଷ ଦୁନିଆର ଶୀର୍ଷ ୧୦ ବିତ୍ତଶାଳୀଙ୍କ ପାଇଁ ଦୁଃସ୍ଵପ୍ନଠୁ କିଛି କମ୍ ନୁହେଁ। ଶୀର୍ଷ ୧୦ରୁ ୯ କୋଟିପତି ଏ ପର୍ଯ୍ୟନ୍ତ ୨୫୦ ବିଲିୟନ ଡଲାରରୁ ଅଧିକ ସଂପତ୍ତି ହରାଇ ସାରିଛନ୍ତି। ସେଥିରୁ ଅଧିକ ସଂପତ୍ତି ହରାଇଥିବା ବିତ୍ତଶାଳୀ ବ୍ୟକ୍ତି ହେଉଛନ୍ତି ଏଲନ ମସ୍କ। ସେ ମୋଟ୍ ୬୨.୧ ବିଲିୟନ ଡଲାର ଅର୍ଥାତ ପ୍ରାୟ ୫୧,୪୫୫ କୋଟି ଟଙ୍କା ହରାଇଛନ୍ତି। ଯଦି ପୁରା ଦୁନିଆର କୋଟିପତିଙ୍କ ଉପରେ ନଜର ପକାଇବା ତେବେ ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ଚଳିତ ବର୍ଷରେ ଏ ଯାଏଁ ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି।

ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ନେଟଓ୍ଵର୍ଥରେ ହ୍ରାସ ମାମଲାରେ ଦ୍ଵିତୀୟ ନମ୍ବରରେ ଅଛନ୍ତି ଜେଫ ବେଜୋସ। ଚଳିତ ବର୍ଷ ତାଙ୍କ ସଂପତ୍ତିରେ ଅଦ୍ୟାବଧି ୫୧.୧ ବିଲିୟନ ଡଲାର ହ୍ରାସ ପାଇଛି। ଅର୍ଥାତ ୪୩,୩୩୧ କୋଟି ଟଙ୍କାର ଝଟକା ଲାଗିଛି। ସେହିପରି ବର୍ଣ୍ଣାର୍ଡ ଅରନାଲ୍ଟଙ୍କୁ ୪୧.୨ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଛି। କେବେ ଦୁନିଆର ସବୁଠୁ ଧନୀ ତାଲିକାରେ ଚତୁର୍ଥରେ ରହିଥିବା ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ଚଳିତ ବର୍ଷ ସବୁଠୁ ଅଧିକ ୭୫.୬ ବିଲିୟନ ଡଲାରର ଝଟକା ଲାଗିଛି। ତାଙ୍କର ମୋଟ୍ ସଂପତ୍ତିର ପରିମାଣ କେବଳ ୪୯.୯ ବିଲିୟନ ଡଲାରରେ ସୀମିତ ରହିଛି। ଏତେ ମାତ୍ରାରେ ସଂପତ୍ତିର ହ୍ରାସ ଯୋଗୁଁ ଦୁନିଆର ଧନୀ ତାଲିକାରେ ସେ ୨୩ମ ସ୍ଥାନକୁ ଖସି ଆସିଛନ୍ତି। ଜୁକରବର୍ଗ ଚଳିତ ବର୍ଷ ଯେତେ ସଂପତ୍ତି ହରାଇଛନ୍ତି, ସେତେ ସଂପତ୍ତି ଭାରତର ଟପ୍-୧୦ କୋଟିପତି ତାଲିକାରେ ସାମିଲ୍ ୩ ଧନୀ ବ୍ୟକ୍ତିଙ୍କ ମୋଟ୍ ସଂପତ୍ତି ମିଶାଇ ଦେଲେ ବି ସେତିକି ହେବନି।

ଭାରତର ତୃତୀୟ ସବୁଠୁ ବଡ କୋଟିପତି ଶିବ ନାଦାରଙ୍କ ମୋଟ୍ ସଂପତ୍ତି ବର୍ତ୍ତମାନ ୨୩.୮ ବିଲିୟନ ଡଲାର ରହିଛି। ଚତୁର୍ଥରେ ଥିବା ଅଜୀମ ପ୍ରେମଜୀଙ୍କ ମୋଟ୍ ସଂପତ୍ତି ୨୩.୪ ବିଲିୟନ ଡଲାର ଏବଂ ରାଧାକୃଷ୍ଣ ଦାମାନୀଙ୍କ ମୋଟ୍ ସଂପତ୍ତି ୨୦.୧ ବିଲିୟନ ଡଲାର ରହିଛି। ଏହି ତିନି ଭାରତୀୟଙ୍କ ସଂପତ୍ତି ଯଦି ଯୋଡି ଦିଆଯାଏ ତେବେ ମୋଟ୍ ସଂପତ୍ତି ପରିମାଣ ହେଉଛି ୬୭.୩ ବିଲିୟନ ଡଲାର। କିନ୍ତୁ ଜୁକରବର୍ଗ ଚଳିତ ବର୍ଷ ୭୫ ବିଲିୟନ ଡଲାର ସଂପତ୍ତି ହରାଇ ସାରିଛନ୍ତି।

Get real time updates directly on you device, subscribe now.