fbpx

(Video) ରାଜଧାନୀରେ ବିକ୍ରି ହେଉଛି ନକଲି ଫୁଲ: ଦଳ ୪ଟାକୁ ୧୦୦ ଟଙ୍କା, ଓଡ଼ିଶାରେ ମାତିଲେଣି ବାହାର ରାଜ୍ୟର ଗ୍ୟାଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ମେଡିସିନକୁ ନେଇ ନିକଟରେ ରାଜ୍ୟରେ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ସାମ୍ନାକୁ ଆସିଛି ଆଉ ଏକ ଠକାମି ଘଟଣା । ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ହଡ଼ପ କରାଯାଉଛି । ଲୋକମାନଙ୍କୁ ଦଳ ବିକ୍ରି କରି କିଛି ଠକ ଫୁଲ ବୋଲି କହୁଥିବା ଜଣାପଡ଼ିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦଳ ବାହାରୁ ଆଣିଛନ୍ତି କହି ଲୋକଙ୍କୁ ଅନ୍ଧାରରେ ରଖାଯାଉଛି ।

ଏନେଇ କିଛି ବ୍ୟକ୍ତି କହିଛନ୍ତି, ଓଡ଼ିଶା ଲୋକଙ୍କୁ ବୋକା ବନାଇବା ପାଇଁ ଏଭଳି କିଛି ଲୋକ ବାହାରୁ ଦଳ ମଗାଉଛନ୍ତି । ଏଠାରେ ବେପାର କରି ଲୋକଙ୍କୁ ଠକି କିଛି ଅସାଧୁ ବେପାରୀ ମୋଟା ଅଙ୍କର ମୁନାଫା କମାଉଛନ୍ତି । ଏହି ଫୁଲଗଛ ଏବେ ଭୁବନେଶ୍ୱର ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ବେଳେ ଅସାଧୁ ବେପାରୀମାନେ ୪ ଖଣ୍ଡକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ।

ତେବେ ସତ କଥା ହେଉଛି, ବଜାରରେ ଫୁଲ ନାମରେ ବିକ୍ରି ହେଉଥିବା ଏହି ଗଛ ବାସ୍ତବରେ ଫୁଲ ଗଛ ନୁହେଁ । ଏହି ଗଛ ସାଧାରଣ ଭାବେ ଆମର ବାଡ଼ି ବଗିଚାରେ ଉଠିଥାଏ । ଲୋକମାନେ ଏହି ଗଛକୁ ଅଛୁଆଁ ବୋଲି କହିଥାନ୍ତି । ପାଞ୍ଚ ମିନିଟରେ ଏହି ଗଛର ଫୁଲ ଫୁଟିବ ବୋଲି ଅସାଧୁ ବେପାରୀମାନେ କହୁଥିବା ଜଣାପଡ଼ିଛି । କିଛି ବ୍ୟକ୍ତି ଏହି ସତ୍ୟତା ଜାଣିବା ପରେ ସେମାନେ କିଣିଥିବା ଦଳକୁ ଫେରସ୍ତ କରି ଟଙ୍କା ଫେରାଇ ଆଣିଥିବା ଜଣାପଡ଼ିଛି । ଏହି ବେପାରୀମାନେ ଉକ୍ତ ଗଛର ନାଡ଼କୁ କାଟି ରଙ୍ଗ ବୋଳି ମୋଟା ଅଙ୍କରେ ବିକ୍ରି କରୁଥିବା ଦେଖାଯାଉଛି । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ବେପାରରେ ସାମିଲ ଥିବା କିଛି ଯୁବତୀ, ମହିଳାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଆଗାମୀ ଦିନରେ ଏହା ପଛରେ ଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.