fbpx

ଏଣିକି ସହଜ ହେବ ପାରିବାରିକ ପେନସନ୍: ନିୟମ ପାଳନ କରିବାକୁ ବ୍ୟାଙ୍କକୁ ଆଦେଶ ଦେଲେ ସରକାର

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ରହିଥିବା ପାରିବାରିକ ପେନସନ୍ ମାମଲାଗୁଡ଼ିକ ଏଣିକି ପୂର୍ବାପେକ୍ଷା ସହଜ ହେବ । ପୂର୍ବରୁ ଜଣେ ପେନସନଧାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ବିଭିନ୍ନ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପେନସନ୍ ପ୍ରଦାନ କରୁଥିବା ବ୍ୟାଙ୍କ ପକ୍ଷରୁ କୁହାଯାଉଥିଲା । ତେବେ ଉକ୍ତ ଡକ୍ୟୁମେଣ୍ଟଗୁଡ଼ିକର ଆବଶ୍ୟକତା ନଥିବା ପରେ ଜଣାପଡ଼ିଥିଲା । ବ୍ୟାଙ୍କର ଏହି ପଦକ୍ଷେପ ଫଳରେ ମୃତକଙ୍କ ସ୍ତ୍ରୀ କିମ୍ବା ପରିବାର ସଦସ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅନେକ ସମୟରେ ପେନସନ୍ ପାଇବାରେ ବିଳମ୍ବ ହେଉଥିଲା ।

କର୍ମଚାରୀ, ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ ଅଧୀନରେ ଥିବା ପେନସନ୍ ଓ ପେନସନଧାରୀଙ୍କ କଲ୍ୟାଣ ବିଭାଗ ଏହି ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରିଥିଲା । ଏଥିସହ ପରିବାର ପେନସନ୍ ମାମଲାଗୁଡ଼ିକର ସମାଧାନ ଶୀଘ୍ର ସମାପ୍ତ କରିବାକୁ ସମସ୍ତ ବ୍ୟାଙ୍କକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୃତ ପେନସନଧାରୀଙ୍କ ପିପିଓରେ ସ୍ତ୍ରୀ କିମ୍ବା ପରିବାରର ଯେଉଁ ସଦସ୍ୟଙ୍କ ନାମ ଉଲ୍ଲେଖ ରହିଥିବ, ତାଙ୍କୁ କିଛି ଦଲିଲ ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଛି । ଯଦି ମୃତକ ଓ ତାଙ୍କ ସ୍ତ୍ରୀଙ୍କ ଜଏଣ୍ଟ ଆକାଉଣ୍ଟ ରହିଥିବ, ତେବେ ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର, ପିପିଓର ଏକ କପି, ଆବେଦକଙ୍କ ଜନ୍ମ ତାରିଖ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଯଦି ମୃତକ ଓ ତାଙ୍କ ପତ୍ନୀଙ୍କର ଜଏଣ୍ଟ ଆକାଉଣ୍ଟ ନଥିବ, ତେବେ ଫର୍ମ ନଂ ୧୪ରେ ଦୁଇସାକ୍ଷୀଙ୍କ ଦସ୍ତଖତ, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର, ପେନସନଧାରୀଙ୍କ ପିପିଓ କପି, ଆବେଦକଙ୍କ ଜନ୍ମ ପ୍ରମାଣପତ୍ର ଆଦି ଦାଖଲ କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.