fbpx

ପୁଣି ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ: ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା

ଓଡିଶା ଭାସ୍କର: ପୁଣି ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ । ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବିନେକେଲ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହି ୪୭ ବର୍ଷୀୟ ମୃତ ଚାଷୀଙ୍କ ନାମ ହେଉଛି ଚମରୁ ବାଗ୍‌ ।

ସୂଚନା ଅନୁଯାୟୀ, ଚମରୁ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ବିଷ ପିଇ ଦେଇଥିଲେ। ଏହା ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଚମରୁ ପ୍ରାୟ ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଫଳରେ ଅମଳରେ ମାତ୍ର ତାଙ୍କୁ ୩ ପ୍ୟାକେଟ୍ ଧାନ ମିଳିଥିଲା। ଯାହାକୁ ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଉ ପରବର୍ତ୍ତୀ ସମୟରେ ଆତ୍ମହତ୍ୟା ନିଷ୍ପତି ନେଇ ବିଷ ପିଇ ଜୀବନ ହାରିଥିଲେ ।

ଏଠାରେ କହି ରଖୁଛୁ ଯେ, ଚମରୁ ଜଣେ ଛୋଟ ଚାଷୀ ଥିଲେ। କେବଳ ପରିବାରର ପେଟ ପୋଷିବା ପାଇଁ ସେ ଚାଷ କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଦୁଇ ପୁଅ ଗୁଜରାଟ ଦାଦନ ଖଟିବାକୁ ଯାଇଛନ୍ତି। ତେବେ ଏଭଳି ପରିସ୍ଥିତିରେ ଉକ୍ତ ପରିବାରକୁ କ୍ଷତିପୂରଣ ଦେବା ଲାଗି ଗାଁ ଲୋକଙ୍କ ପକ୍ଷରୁ ସାଧାରଣରେ ଦାବି ହୋଇଛି।

Get real time updates directly on you device, subscribe now.