fbpx

ଦେଶୀ ଗାଈ ପାଳିଲେ ମାସିକ ୯୦୦ ଟଙ୍କା ପାଇବେ ଚାଷୀ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବା ବେଳେ ଆଜି ବି ଅଧା ଜନସଂଖ୍ୟା ଗାଁରେ ରହୁଛନ୍ତି । ଏପରି ପରିସ୍ଥିତିରେ ଅନେକ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା ଘୋଷଣା କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ହିତରେ ଅନେକ ଯୋଜନା ଚଳାଉଥିବା ସହ ପ୍ରାକୃତିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରାଜ୍ୟରେ ଜୁନ୍ ମାସରୁ ୫୨୦୦ ଗାଁରେ ପ୍ରାକୃତିକ ଚାଷ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ଯେ, ରାଜ୍ୟରେ ଦେଶୀ ଗାଈମାନଙ୍କର ଯତ୍ନ ନେବା ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ମାସିକ ୯୦୦ ଟଙ୍କା ଦେବେ । ଅଭିନବ ଚାଷ ଉପରେ ଆୟୋଜିତ ଏକ ୱାର୍କସପରେ ଚୌହ୍ୱାନ କହିଛନ୍ତି ଯେ, ବିଭିନ୍ନ ଫସଲର ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ବଢ଼ିଯାଇଛି ।

ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହେତୁ ମାଟି ଖରାପ ହେବାରେ ଲାଗିଛି, ଯାହାକୁ ବନ୍ଦ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀମାନଙ୍କୁ ସାର ସବସିଡି ପାଇଁ ୧.୮ ଲକ୍ଷ କୋଟି ଟଙ୍କା ଦେଉଛନ୍ତି ଏବଂ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ମଧ୍ୟ ସବସିଡି ଦିଆଯିବା ଉଚିତ । ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ଯେ, ସବୁଜ ବିପ୍ଳବରେ ରାସାୟନିକ ସାରର ବ୍ୟବହାର ଖାଦ୍ୟ ଶସ୍ୟର ଅଭାବ ପୂରଣ କରିଛି, କିନ୍ତୁ ଏବେ ଏହାର ସାଂଘାତିକ ପରିଣାମ ସାମ୍ନାକୁ ଆସୁଛି ।

Get real time updates directly on you device, subscribe now.