fbpx

ଝିଅର ମୃତଦେହକୁ ୨ କିମି ବୋହିଲେ ପିତା, ପହଞ୍ଚିପାରିଲାନି ଆମ୍ବୁଲାନ୍ସ

ସମ୍ବଲପୁର(ଓଡ଼ିଶା ଭାସ୍କର): ସାଙ୍ଗମାନଙ୍କ ସହ ଖେଳୁ ଖେଳୁ କୂଅକୁ ଖସିପଡିଥିଲା ୫ ବର୍ଷର କୁନି ଝିଅ । କିନ୍ତୁ କୂଅରୁ ଉଦ୍ଧାର କରି ମେଡିକାଲ ନେବା ବାଟରେ କୁନି ଝିଅଟି ପ୍ରାଣ ହରାଇଥିଲା । ଗାଁକୁ ଯିବାକୁ ପୋଲ ନଥିବାରୁ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ । ଫଳରେ ୨ କିମି ପର୍ଯ୍ୟନ୍ତ ଝିଅକୁ ବୋହି ମେଡିକାଲରେ ପହଞ୍ଚିଥିଲେ ପିତା । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ରେଢ଼ାଖୋଲ ଥାନା ଘୁଷୁରାମାଲ ପଞ୍ଚାୟତ କମଳାନାଳି ଗାଁର ସୁଦପଢାରେ ଘଟିଯାଇଛି ।

ସୂଚନା ମୁତାବକ, ଗାଁର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ଗାଁ ଦାଣ୍ଡରେ ସାଙ୍ଗ-ସାଥୀଙ୍କ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡିଥିଲେ । କିଛି ସମୟ ପରେ ଝିଅକୁ ନପାଇ ଖୋଜାଖୋଜି କଲାପରେ କୂଅରୁ ଉଦ୍ଧାର କରାଯାଇଥିଲା । ଏହାପରେ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଯାଇଥିଲା, କିନ୍ତୁ ଗାଁ କୁ ନାଳ ରାସ୍ତା ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଝିଅକୁ ବଞ୍ଚାଇବା ପାଇଁ ବିଚାର ବାପା ମା ଦୁହେଁ ଝିଅକୁ କାଖେଇ ୨କିମି ରାସ୍ତା ଅତିକ୍ରମ କରି ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ମେଡିକାଲରେ ଝିଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୋଲଟିଏ ଥିଲେ ହୁଏତ କୁନି ଝିଅର ଜୀବନ ବଞ୍ଚିଯାଇପାରିଥାନ୍ତା । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.