fbpx

ସାଂସଦ ଅନୁଭବଙ୍କ ବାପାଙ୍କୁ ଝଟକା: ପଦୋନ୍ନତି ବାତିଲ୍ କଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କୁ ମିଳିଛି ଝଟକା । ଉଚ୍ଚଶିକ୍ଷା ବିଭାଗ ତରଫରୁ ତାଙ୍କ ବାପା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ୍ କରିଦିଆଯାଇଛି । ଶ୍ରୀ ମହାନ୍ତି ଜାଲ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିଥିବା ନେଇ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ତଦନ୍ତ କରାଯାଇଥିଲା । ତେବେ ପଦୋନ୍ନତି ବାତିଲ ନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବେ ଚାକିରିରୁ ଅବସର ଗ୍ରହଣ କରିବା ପରେ ରିଡର ଭାବେ ୧୯୯୭ ମସିହା ଜାନୁଆରୀ ୨ ତାରିଖରେ କଟକର ଜିଲ୍ଲା କନ୍ଦରପୁର କଲେଜରେ ଅବସ୍ଥାପିତ ହୋଇଥିଲେ । ଏଥିପାଇଁ ତାଙ୍କୁ ରିଡରଙ୍କ ପାଇଁ ଧାର୍ଯ୍ୟ ପେ’ ସ୍କେଲ୍ ଅନୁଯାୟୀ ଦରମା ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ତାଙ୍କ ନାମରେ ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିଥିବା ନେଇ ଅଭିଯୋଗ ଆସିଥିଲା । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନାମରେ ଜାଲ ପ୍ରମାଣପତ୍ର ଦାଖଲ କରିଥିବା ସ୍ପଷ୍ଟ ହୋଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀ ମହାନ୍ତିଙ୍କର ଅତିରିକ୍ତ ପେନସନ୍ ସମ୍ପର୍କୀତ ସମସ୍ତ ସୁବିଧା ସୁଯୋଗକୁ ରାଜ୍ୟ ସରକାର ସ୍ଥଗିତ ରଖିଥିଲେ । ପୁଣି ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ଶ୍ରୀ ମହାନ୍ତିଙ୍କର ପଦୋନ୍ନତି ବାତିଲ୍ କରାଯାଇଥିବା ନେଇ ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି । ତେବେ ଏନେଇ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେବା ସହ ଶ୍ରୀ ମହାନ୍ତିଙ୍କ କଟକର ଲାଲବାଗ ଥାନା ଚୌଧୁରୀ ବଜାର ନିକଟସ୍ଥ ନନ୍ଦସାହି ବାସଭବନ ଠିକଣାରେ ଚିଠି ପଠାଯାଇଛି ।

Get real time updates directly on you device, subscribe now.