fbpx

ଡ୍ୟୁଟିରେ ଥିବା ବେଳେ ଆତ୍ମହତ୍ୟା କଲେ ମହିଳା କନେଷ୍ଟବଳ, ସୁଇସାଇଡ୍‌ ନୋଟରେ ଲେଖିଲେ ଏପରି କାରଣ

ବିହାର : ବିହାର ସମସ୍ତିପୁର ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିବା ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି । ସେ କଣ୍ଟ୍ରୋଲ ରୁମକୁ ବାହାର ପଟୁ ବନ୍ଦ କରି ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ କଣ୍ଟ୍ରୋଲ ରୁମ ବନ୍ଦ ଥିବା ଦେଖି ଅନ୍ୟ କର୍ମଚାରୀ କବାଟ ଭାଙ୍ଗି ଭିତରେ ପଶି ଦେଖିଥିଲେ ମହିଳା କନେଷ୍ଟବଳ ଜଣଙ୍କ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହା ପରେ ମହିଳା କନେଷ୍ଟବଳଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମହିଳା କନେଷ୍ଟବଳ ଜଣଙ୍କ ହେଉଛନ୍ତି ୨୦୧୮ ବ୍ୟାଚର ଅର୍ଚ୍ଚନା କୁମାରୀ । ଅର୍ଚ୍ଚନାଙ୍କ ସ୍ୱାମୀ ମଧ୍ୟ କନେଷ୍ଟବଳ ଭାବରେ କାମ କରୁଥିଲେ, କିନ୍ତୁ ତାଙ୍କୁ ୨ ମାସ ତଳେ ସସପେଣ୍ଡ କରାଯାଇଥିଲା । ତେବେ ଦୁଇଜଣ ପତିପତ୍ନୀ ସମସ୍ତିପୁରରେ ଏକାଠି ରହୁଥିଲେ । ଅର୍ଚ୍ଚନାଙ୍କ ମୃତ୍ୟୁ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।

୨୮ ବର୍ଷୀୟା ଅର୍ଚ୍ଚନା ୧୧୨ ପୋଲିସ କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତଦେହ ପାଖରୁ ପୋଲିସ ଏକ ସୁଇସାଇଟ ନୋଟ ଜବତ କରିଛି । ସେଥିରେ ଏସିପିଙ୍କ ବିରୋଧରେ ଲେଖା ହୋଇଛି ଏବଂ ତାଙ୍କ ସ୍ୱାମୀଙ୍କୁ କାହିଁକି ସସପେଣ୍ଡ କରାଗଲା ସେ ପ୍ରଶ୍ନ କରିଛନ୍ତି । ଏହା ଛଡା ମହିଳା ଜଣଙ୍କ ଲେଖିଛନ୍ତି ତାଙ୍କୁ ସରକାରୀ କ୍ୱାଟର୍ସ ମିଳୁନଥିଲା ଯାହା ଫଳରେ ସେ ଏକ ଭଡା ଘରେ ରହୁଥିଲେ । ଅନ୍ୟପଟେ ସେ ତାଙ୍କ ଲୋନ ପାଇଁ ମଧ୍ୟ ଚିନ୍ତିତ ଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଏସିପିଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରାଯାଉ ଯାହାଦ୍ୱାରା ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ।

ଅର୍ଚ୍ଚନାଙ୍କ ସ୍ୱାମୀ ନିଲମ୍ବିତ ହୋଇଥିବାରୁ ସେ ଅଧିକ ଚାପରେ ଥିଲେ । ଏହି ମାମଲା ବିଷୟରେ ସଦର ଡିଏସପି ସଞ୍ଜୟକୁମାର ପାଣ୍ଡେ କହିଛନ୍ତି ଏ ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ସୁଇସାଇଡ ନୋଟ ଉପରେ ପ୍ରଶ୍ନ କରିବାରୁ ସେ କହିଥିଲେ ଏହି ଘଟଣାର ତଦନ୍ତ କରାଯିବ ।

Get real time updates directly on you device, subscribe now.