fbpx

ସ୍ୱାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା; ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କର କଲେ ଅପରେସନ, ମୃତ୍ୟୁ ପରେ ହସ୍ପିଟାଲ ସିଲ୍

ବୁଲନ୍ଦସହର: ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ । ସମାଜରେ ସେମାନଙ୍କ ଅବଦାନ ଅନେକ । ହେଲେ ବେଳେ ଏପରି ହୁଏ ସେମାନଙ୍କ ଅବହେଳା କାରଣରୁ ସାଧାରଣ ଲୋକ ସାଂଘାତିକ ସମସ୍ୟାରେ ପଡ଼ିଯାଆନ୍ତି । ଏହି ପରିପ୍ରେକ୍ଷୀରେ ଏକ ସାଂଘାତିକ ମାମଲା ସାମନାକୁ ଆସିଛି । ଏଥିରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅବହେଳା କାରଣରୁ ଜଣେ ଜ୍ୱରରେ ପୀଡ଼ିତଙ୍କର ଭୁଲରେ ଅପରେସନ୍ କରିଦେଲେ ଯାହାପରେ ତାର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ମୃତ ବ୍ୟକ୍ତିଙ୍କର ପରିବାର ଲୋକେ ହସ୍ପିଟାଲରେ ହଙ୍ଗାମା କରିଛନ୍ତି ।

ମୃତକଙ୍କ ଚିକିତ୍ସା କରିଥିବା ଡାକ୍ତର ଓ ତିନରୁ ଚାରି ଜଣ ହସ୍ପିଟାଲ ଷ୍ଟାଫ୍ ଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୋଗ ପରେ ଡାକ୍ତର ଓ ଷ୍ଟାଫ୍ ଫେରାର୍ ହୋଇଯାଇଛନ୍ତି । ପୋଲିସ୍ ମୃତକଙ୍କ ଶରୀରକୁ ପୋଷ୍ଟମଟମ୍ ପାଇଁ ପଠାଇଛି । ସୂଚନା ଅନୁସାରେ, ୟୁସୁଫ୍ ସୈଫୀ (୪୫) ଙ୍କୁ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲା । ତେଣୁ ପରିବାର ଲୋକ ତାକୁ ନେଇ ବୁଲନ୍ଦସହରରରେ ଥିବା ଏକ ନର୍ସିଙ୍ଗ ହୋମ୍ ରେ ଭର୍ତ୍ତି କରିଥିଲେ । ଯାଞ୍ଚ ପରେ ଡାକ୍ତର ପରିବାର ଲୋକଙ୍କୁ ଡେଙ୍ଗୁ ଏବଂ ପ୍ଲେଟଲେଟ୍ସର ଅଭାବ କାରଣରୁ ଜ୍ୱର ହୋଇଥିବା କହିଥିଲେ ।

ତେବେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗୁରୁବାର ଦିନ ସକାଳ ସମୟରେ ଜୁନିୟର୍ ଡାକ୍ତର ମାନେ ୟୁସୁଫ୍ ଙ୍କୁ ନେଇ ଅପରେସନ୍ ରୁମ୍ କୁ ଯାଇଥିଲେ । ସେଠାରେ ପୂର୍ବରୁ ହିଁ ଡାକ୍ତରୀ ଟିମ୍ ଉପସ୍ଥିତ ଥିଲେ । ଏହାପରେ ୟୁସୁଫଙ୍କର ଅପରେସନ୍ କରାଯାଇଥିଲା । ତେବେ ୟୁସୁଫ୍ ଙ୍କର ଏହି ଅପରେସନ୍ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ଜାଣିବା ପରେ ତାଙ୍କ ପତ୍ନୀ ଓ ଅନ୍ୟ ମାନେ ହସ୍ପିଟାଲରେ ହଙ୍ଗାମା କରିଥିଲେ ।

ଜ୍ୱରରେ ପୀଡ଼ିତା ରୋଗୀଙ୍କର ଅପରେସନ ପରେ ମୃତ୍ୟୁ ହେବା ଘଟଣା ପ୍ରଘଟ ହେବା ପରେ ସିଏସି ପକ୍ଷରୁ ତ୍ୱରିତ ଯାଞ୍ଚ କରାଯାଇ ଅପରେସନ୍ ଥିଏଟର୍ କୁ ସିଲ୍ କରିଦିଆଗଲା । ଆଉ ଯେତେବେଳେ ରୋଗୀଙ୍କର ରେକର୍ଡ ଯାଞ୍ଚ କରାଗଲା ସେତେବେଳେ ଅବହେଳା ସମ୍ପର୍କରେ ସୂଚନା ମିଳିଥିଲା । ତେବେ ଏହିଭଳି ଘଟଣା ଘଟାଇବା ପରେ ମେଡିକାଲର କିଛି ଷ୍ଟାଫ୍ ଓ ଡାକ୍ତର ଫେରାର୍ ହୋଇଯାଇଛନ୍ତି । ବର୍ତ୍ତମାନ ସେଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ଯିବାକୁ କୁହାଯାଇଛି ।

Get real time updates directly on you device, subscribe now.