fbpx

ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସମସ୍ତ ରାସନ କାର୍ଡଧାରୀ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ସହାୟତା ମିଳିବ । ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଙ୍କ ଆକାଉଣ୍ଟକୁ ଯିବ ହଜାରେ ଟଙ୍କାର କୋଭିଡ ସହାୟତା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡ ଆମ ଆର୍ଥିକ ଓ ସାମାଜିକ ଜୀବନ ଉପରେ ପ୍ରଭାବ ପକାଇଛି । ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି । ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୋଭିଡ ସହାୟତା ପାଇଁ ରାଜ୍ୟ ସରକାର ୯୬୦ କୋଟି ଟଙ୍କା ବ୍ୟୟ କରିବେ । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ । ଏବେ ସାରା ବିଶ୍ୱରେ ଓମିକ୍ରନର ସଂକ୍ରମଣ ବଢ଼ୁଛି । ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ । ଆପଣମାନଙ୍କ ସହଯୋଗରେ ଆମେ ସବୁ ପରିସ୍ଥିତିର ମୁକାବିଲା କରିପାରିବା ।’

ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ହିତାଧିକାରୀମାନଙ୍କୁ ହଜାରେ ଟଙ୍କାର କୋଭିଡ୍‌ ସହାୟତା ଯୋଗାଇ ଦିଆଯିବ । ୩୦ ଜିଲ୍ଲାର ୩ କୋଟି ୫୦ ଲକ୍ଷ ହିତାଧିକାରୀ ଏହି ସୁବିଧା ପାଇବେ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ । ଏଥିପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ପ୍ରଦାନ କରାଯିବ । କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ତୁରନ୍ତ ଏହି ସହାୟତା ରାଶି ଯୋଗାଇଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସପ୍ତାହକ ମଧ୍ୟରେ ସହାୟତା ରାଶି ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି । ହିତାଧିକାରୀମାନେ ରାସନ କାର୍ଡ କିମ୍ବା ସ୍ମାର୍ଟ ହେଲ୍‌ଥ କାର୍ଡ ଦେଖାଇ ଏହି ସହାୟତା ନେଇପାରିବେ ।

Get real time updates directly on you device, subscribe now.